ସମଗ୍ର ବିଶ୍ୱରେ ଖ୍ରୀଷ୍ଟାବ୍ଦ କ୍ୟାଲେଣ୍ଡରକୁ ସରକାରୀ ଭାବେ ମଧ୍ୟ ଏକ ପ୍ରକାର ମାନ୍ୟତା ପ୍ରଦାନ କରାଯାଇଛି । ଭାରତ ଏହା ମଧ୍ୟରୁ ଅନ୍ୟତମ । ଇଂରେଜ ମାନଙ୍କ ଦ୍ୱାରା ପରାଧୀନ ହେବା ପରେ ଏବଂ ଇଂରେଜ ମାନଙ୍କର ଶିକ୍ଷାନୀତି ଦ୍ୱାରା ପରିଚାଳିତ ହୋଇ ଭାରତ ମଧ୍ୟ ଇଂରାଜୀ ଅର୍ଥାତ ଖ୍ରୀଷ୍ଟୀୟ କ୍ୟାଲେଣ୍ଡର ସରକାରୀ ଭାବେ ଅନୁସରଣ କରୁଛି ।
ଭାରତୀୟ ଲୋକ ମାନେ ଇଂରାଜୀ କ୍ୟାଲେଣ୍ଡରକୁ ସ୍ୱୀକାର କରି ଇଂରାଜୀ ନବବର୍ଷ ପାଳନ କରୁଥିଲେ ସୁଦ୍ଧା ସେମାନଙ୍କର ବିବାହ, ବ୍ରତ ଓ ଅନ୍ୟ ଶୁଭ କାମ ପାଇଁ ଭାରତୀୟ କ୍ୟାଲେଣ୍ଡର ଉପରେ ନିର୍ଭର କରିଥାନ୍ତି । ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ସତ୍ୱେ ସେମାନେ ଶୁଭ କାମରେ ସଂସ୍କୃତ ଶ୍ଲୋକର ହିଁ ଉଚ୍ଚାରଣ କରି ଥାନ୍ତି ।
ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଂସ୍କୃତି ମଧ୍ୟରେ କିଛି ମୌଳିକ ପ୍ରଭେଦ ରହିଛି । ଏହି ମୌଳିକ ପ୍ରଭେଦ ମଧ୍ୟରେ ଉଭୟ ସଂସ୍କୃତିରେ ଉତ୍ସବ ଓ ପର୍ବ ପର୍ବାଣୀ ପ୍ରତି ରହିଥିବା ଦୃଷ୍ଟିକୋଣ ରେ ପ୍ରଭେଦ । ଭାରତୀୟ ମାନଙ୍କର ଉତ୍ସବ ମନାଇବାର ପଦ୍ଧତି ଖୁବ ନିଆରା । ଭାରତୀୟ ପରମ୍ପରାରେ ଯେଉଁ ପର୍ବପର୍ବାଣୀ ରହିଛି ତାହା ଦ୍ୱାରା ମନରେ ସାତ୍ୱିକତା ଜାଗ୍ରତ ହୋଇଥାଏା ଏହି ପର୍ବ ପର୍ବାଣି କିମ୍ବା ଉତ୍ସବ ଦିନରେ ପାଳନ କରାଯାଉ କିମ୍ବା ରାତ୍ରୀରେ ପାଳନ କରାଯାଉ, ମନରେ ସାତ୍ୱିକତାର ଭାବ ରହିଥାଏ । ଭାରତୀୟ ସଂସ୍କୃତିରେ ଉତ୍ସବ ପାଳନ ବେଳେ ପାଳନ କରୁଥିବା ବ୍ୟକ୍ତି ଭଗବାନଙ୍କର ଶରଣକୁ ଯାଇଥାଏ ।
କିନ୍ତୁ ପାଶ୍ଚାତ୍ୟ ଉତ୍ସବ ପାଳନ ଅବସରରେ ଏହା ସାଧାରଣତଃ ଦେଖାଯାଏ ନାହିଁ । ଖାସ କରି ଇଂରାଜୀ ନବ ବର୍ଷ ଭଳି ଉତ୍ସବ ପାଳନ କଲା ବେଳେ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚିଥାନ୍ତି ତଥା ଏହି ପର୍ବର ସ୍ୱାଗତ କରିଥାନ୍ତି । ନିଶା ସେବନ କରିବା ଦ୍ୱାରା ସେମାନେ ଚରିତ୍ରହୀନତା ଆଡକୁ ଯିବା ସହ ଅପରାଧ ଆଡକୁ ଚାଲିଯିବାର ସମ୍ଭାବନା ଥାଏ । ଏହି ପର୍ବରେ ତିଳେ ହେଲେ ସାତ୍ୱିକତାର ଭାବ ନ ଥାଏ । କେବଳ ଉତ୍ସୃଙ୍ଖଳାର ଭାବ ରହିଥାଏ ।
ତେବେ ଯାହା ଜଣା ପଡୁଛି ଭାରତବାସୀ ଇଂରାଜୀ ନବ ବର୍ଷ ପାଳନ କଲା ବେଳେ ମଧ୍ୟ ସେମାନେ ନିଜର ଇଂରାଜୀକରଣ ନ କରି ଏହି ଉତ୍ସବର ଭାରତୀୟକରଣ କରି ଦେଉଛନ୍ତି । ଯଦିଓ କିଛି ତାରକା ହୋଟେଲରେ କିଛି ଲୋକ ମଧ୍ୟ ରାତ୍ରୀରେ ପାଶ୍ଚାତ୍ୟ ଉପାୟରେ ଏହି ଉତ୍ସବ ପାଳନ କରୁଛନ୍ତି ତେବେ ଏମାନଙ୍କ ସଂଖ୍ୟା ଖୁବ କମ । ପାଶ୍ଚାତ୍ୟ ପଦ୍ଧତିରେ ଇଂରାଜୀ ନବ ବର୍ଷ ପାଳନ କରୁଥିବା ଲୋକ ମାନଙ୍କ ସଂଖ୍ୟା ଖୁବ କମ ହୋଇଥିବାରୁ ଏମାନଙ୍କୁ ଭାରତର ପ୍ରତିନିଧି ବୋଲି ମାନିବା ଭୁଲ ହେବ ।
ତେବେ ସାଧାରଣ ଭାରତୀୟ ଇଂରାଜୀ ନବ ବର୍ଷକୁ କିଭଳି ଭାବେ ପାଳନ କରୁଛି । ଗୋଟିଏ ଉଦାହରଣ ଦେଲେ ପ୍ରସଙ୍ଗଟିକୁ ଭଲ ଭାବରେ ବୁଝି ହେବ । ଇଂରାଜୀ ନବ ବର୍ଷ ଅବସରରେ ପୁରୀର ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ପୋଲିସ ପ୍ରଶାସନର କହିବା ଅନୁସାରେ ଭକ୍ତ ମାନଙ୍କ ପ୍ରବଳ ଭୀଡ ହେବାର ସମ୍ଭାବନା ଥିବାରୁ ବିପୁଳ ପୋଲିସ ଫୋର୍ସ ଭୀଡକୁ ନିୟନ୍ତ୍ରିତ କରିବା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିୟୋଜିତ କରାଯାଇଛି । ଇଂରାଜୀ ନବ ବର୍ଷ ଦିନ ପୁରୀ ଯାଇ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଦର୍ଶନ କରିଛନ୍ତି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏତେ ସଂଖ୍ୟାରେ ଅର୍ଥାତ ଲକ୍ଷ ଲକ୍ଷ ଲୋକ ଇଂରାଜୀ ନବ ବର୍ଷ ଦିନ ଉପସ୍ଥିତ ହୋଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେବା ଘଟଣା ଅନେକ କିଛି ସ୍ପଷ୍ଟ କରୁଛି । ଯେଉଁ ଲୋକ ମାନେ କୌଣସି କାରଣ ବଶତଃ ପୁରୀ ଯାଇ ପାରୁ ନାହାନ୍ତି ଅତ୍ୟନ୍ତ ସାତ୍ୱିକତାର ଭାବ ନେଇ ସେମାନେ ସକାଳୁ ସ୍ଥାନୀୟ ମନ୍ଦିରରେ ପହଂଚି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।
ଏହି ଘଟଣା ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଯେ ଯଦିଓ ଭାରତୀୟ ମାନେ ଇଂରାଜୀ ଅଥବା ଖ୍ରୀଷ୍ଟାବ୍ଦ ଆଧାରିତ ନବବର୍ଷ ପାଳନ କରୁଛନ୍ତି, ତେବେ ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ପାଶ୍ଚାତ୍ୟ ପଦ୍ଧତିରେ ପାଳନ କରୁ ନାହାନ୍ତି ଅର୍ଥାତ ନିଶା ଆଦି ସେବନ କରିବା ସହ ବିଦେଶୀ ସଙ୍ଗୀତର ତାଳେ ତାଳେ ଲୋକ ମାନେ ନାଚି ନାହାନ୍ତି । ସେମାନେ ଏହି ପାଶ୍ଚାତ୍ୟ ପର୍ବକୁ ସମ୍ପୂର୍ଣ ଭାରତୀୟ ପରମ୍ପରାରେ ଅର୍ଥାତ ସାତ୍ୱିକ ଉପାୟରେ ପାଳନ କରୁଛନ୍ତି । ଇଂରାଜୀ ନବ ବର୍ଷର ଭାରତୀୟକରଣ ହୋଇ ଯାଇଛି । ଏହି ଘଟଣା ପ୍ରମାଣିତ କରୁଛି ଯେ ପାଶ୍ଟାତ୍ୟ ପର୍ବ ଭାରତରେ ଆସିବା ପରେ ପାଶ୍ଚାତ୍ୟ ସଂସ୍କୃତି ଭାରତୀୟ ସଂସ୍କୃତି ଆଗରେ ମୁଣ୍ଡ ନୁଆଁଇଛି ।
ଏହି ଘଟଣା ପ୍ରମାଣିତ କରୁଛି ଯେ ଭାରତ ନିକଟରେ ବିଦେଶୀ ଓ ବିଜାତୀୟ ସଂସ୍କୃତିକୁ ଆତ୍ମସାତ କରିବାର କ୍ଷମତା ରହିଛି । କୌଣସି ପାଶ୍ଚାତ୍ୟ ପର୍ବ ଯଦି ଭାରତରେ କୌଣସି କାରଣରୁ ପ୍ରବେଶ କରେ ତେବେ ତାହା ସେହି ଭଳି ଭାବେ ପାଳିତ ନ ହୋଇ ଭାରତୀୟ ପରମ୍ପରା ଓ ସଂସ୍କୃତି ଆଧାରରେ ପାଳିତ ହୋଇଥାଏ । ଇଂରାଜୀ ନବ ବର୍ଷର ଭାରତୀୟକରଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
ଅତୀତର ପୃଷ୍ଠାକୁ ଯଦି ଆମେ ଓଲଟାଇବା ତେବେ ଦେଖିବା ଯେ ଶକ, ହୁଣ ପରି ଜାତି, ଯେଉଁ ମାନେ ବିଦେଶରୁ ଆସିଥିଲେ ସେମାନେ ଭାରତର ମୁଖ୍ୟସ୍ରୋତରେ ଲୀନ ହୋଇଯାଇଛି । ଆଜି ସେମାନଙ୍କର ଚିହ୍ନ ବର୍ଣ ନାହିଁ । ଆଜି ଯଦି ଆମେ ତାଙ୍କୁ ଖୋଜିବା ତେବେ ତାଙ୍କୁ ପାଇବା ନାହିଁ । ଏହା ଭାରତୀୟତା ବା ହିନ୍ଦୁତ୍ୱର ବିଶେଷତ୍ୱ । ହିନ୍ଦୁତ୍ୱ ବା ଭାରତୀୟତା ହେଉଛି ସର୍ବ ସମାବେଶୀ । ସମସ୍ତଙ୍କୁ ସାମିଲ କରିବାର କ୍ଷମତା ଭାରତୀୟତା ବା ହିନ୍ଦୁତ୍ୱ ମଧ୍ୟରେ ରହିଛି । ଏହା ହିଁ ହେଉଛି ଭାରତୀୟତାର ମହାନତା ।
ପରିବର୍ତନ ପ୍ରକୃତିର ନିୟମ । ସମୟ ଅନୁସାରେ ପରିବର୍ତନ ଘଟିବା ଅବଶ୍ୟମ୍ଭାବୀ । ଭାରତୀୟ ସଂସ୍କୃତିକୁ ସନାତନ ବୋଲି କହିବା ପଛରେ ମଧ୍ୟ ଏହି କାରଣ ରହିଛି । ଭାରତୀୟ ସଂସ୍କୃତିରେ ସମସ୍ତଙ୍କୁ ଆତ୍ମସାତ କରିବାର କ୍ଷମତା ରହିଛି । ଏହି କାରଣରୁ ଇକବାଲ ଥରେ କହିଥିଲେ
ରୋମ, ୟୁନାନ, ମିଶର ମିଟ ଗୟେ ଜହାଁ
କୁଛ ବାତ ଏଇସି ହୈ କି ହସ୍ତି ମିଟତି ନହିଁ ହମାରୀ ।
ଅର୍ଥାତ ଦିନ ଥିଲା ରୋମ, ଗ୍ରୀସ ଓ ଇଜିପ୍ଟରେ ମଧ୍ୟ କେବେ ମହାନ ସଭ୍ୟତା ଠିଆ ହୋଇଥିଲା । ମାତ୍ର ସେମାନଙ୍କର ମଧ୍ୟରେ ଆତ୍ମସାତ କରିବାର କ୍ଷମତା ନ ଥିବା କାରଣରୁ ସେହି ସଭ୍ୟତା ଗୁଡିକ ଲୋପ ପାଇଯାଇଥିଲା । ତେବେ ଭାରତର ସଭ୍ୟତା ସେହି ଭଳି ଅକ୍ଷୁର୍ଣ ରହିଛି । କାରଣ ଭାରତ ନିକଟରେ ସମସ୍ତଙ୍କୁ ଏପରି ବାହାର ସଂସ୍କୃତିକୁ ମଧ୍ୟ ଆତ୍ମସାତ କରିବାର ମହାନ କ୍ଷମତା ରହିଛି । ସେଇଥି ପାଇଁ ଭାରତୀୟତା କାଳଜୟୀ ।
(ଡ. ସମନ୍ୱୟ ନନ୍ଦ)