ମତଦାନ ପରେ ଇଭିଏମଗୁଡ଼ିକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଇଭିଏମ ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗରୁମ୍ ଭିତରେ ଓ ବାହାରେ ସିସି ଟିଭି ଲଗାଯାଇଛି।ହାତଗଣତି ବିଶୃଙ୍ଖଳା ଓ ଉତ୍ତେଜନାକୁ ବାଦ ଦେଲେ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ମତଦାନ। ନିଷିଧାଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରବେଶ କରିବାକୁ ନେଇ ଦେଖାଦେଇଥିଲା ଉତ୍ତେଜନା। କାଁପଡ଼ା ୭୫ ଓ ୭୭ ନଂ ବୁଥ୍ରେ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡିକୁ ଲୋକଙ୍କ ପ୍ରବଳ ବିରୋଧ କରିଥିଲେ। ହଟହଟା ହୋଇଛି ବିଜେଡି ପ୍ରାର୍ଥୀ । ଚାଲି ଚାଲି ଗାଡ଼ିକୁ ଯାଇଥିଲେ ଅବନ୍ତୀ। ଦାସ।
ବୁଥ୍ ଭିତରେ ବିଜେଡ଼ି ସରପଞ୍ଚଙ୍କ ପ୍ରତିନିଧି ମୋବାଇଲ ଫୋନରେ କଥା ହେଉଥିବା ନେଇ ହୋଇଥିଲା ଅଭିଯୋଗ । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ବୁଥ୍ ଭିତରକୁ ମୋବାଇଲ ନେବା ମନାଥିବା ବେଳେ ସେ କିଭଳି ମୋବାଇଲ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ଜିଲ୍ଲା ବିଜେଡ଼ି ଉପ ସଭାପତି ଅଖୁଜା ପଣ୍ଡା 22 ନମ୍ବର ବୁଥରେ ରହି ରିଗିଂ କରିଥିବା ଅଭିଯୋଗ ହୋଇଛି ।ଧାମନଗର ଏନଏସିର ବୁଥ ନମ୍ବର ୧୨୯ ଆଗରେ ବିଜେପି କର୍ମୀ ସୁଦର୍ଶନ ତ୍ରିପାଠୀଙ୍କୁ ଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ହୋଇଥିଲା ଅଭିଯୋଗ ।
ଆକ୍ରମଣରେ ସୁଦର୍ଶନଙ୍କ ଛାତିରେ ଆଘାତ ଲାଗିଥିବା ବେଳେ ନାକ ଫାଟି ଯାଇଛି । ଏନେଇ ଧାମନଗର ଥାନାରେ ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦିଆଯାଇଛି ।୬ ତାରିଖରେ ହେବ ମତଗଣନା। ଫଳାଫଳକୁ ନେଇ ସବୁ ମହଲରେ ଉତ୍କଣ୍ଠା । ବିଜେପି ଧାମନଗରକୁ ନିଜ କବଜାରେ ରଖିବାରେ ସଫଳ ହେଉଛି ନା ଉପନିର୍ବାଚନରେ ବିଜେଡିର ଅପରାଜେୟର ରେକର୍ଡ ଜାରି ରହୁଛି ସ୍ପଷ୍ଟ ହେବ 6 ରେ । ସେହିପରି ଆରମ୍ଭରୁ ଚର୍ଚ୍ଚାରେ ଥିବା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଧାମନଗର ଭୋଟର କେତେ ସମର୍ଥନ କଲେ ତାହା ବି ଜଣାପଡିବ 6ରେ ।