ଟିକେଟ୍ ନ ମିଳିବା ପରେ ରାଜୁଙ୍କ ଶହଶହ ସମର୍ଥକ ବାସଭବନରେ ପହଞ୍ଚି ରାଜୁ ସ୍ବାଧୀନ ଭାବେ ନିର୍ବାଚନ ବୈତରଣୀକୁ ଡେଉଁଥିବା ଇଶାରା ଦେଇଛନ୍ତି । ଏପରିକି ରାଜୁ ନାହିଁ ତ ଭୋଟ ନାହିଁ ନାରା କମ୍ପମାନ ହୋଇଛି ଗଗନ ପବନ । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଅବନ୍ତୀଙ୍କୁ କାଉଣ୍ଟର କରି ରାଜୁ ମଧ୍ୟ ନୋମିନେସନ ଭରିବେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କ ପାଇଁ ନୋମିନେସନ ଫର୍ମ ମଧ୍ୟ ଯାଇଥିବା ଚର୍ଚ୍ଚା ହେଉଛି । ତେଣୁ ଧାମନଗର ବିଜେଡିରେ ଫାଟ ଶାସକ ଦଳର ବିପି ବଢ଼ାଇବାର ଆଶଙ୍କା ଦେଖାଦେଇଛି । ତେବେ ପୂର୍ବରୁ ମଧ୍ୟ ଏଭଳି କନ୍ଦଳକୁ ଯେନତେନ ପ୍ରକାରେ ଶାସକ ଦଳ ମ୍ୟାନେଜ୍ କରିବାରେ ସମର୍ଥ ହୋଇଥିବାରୁ ଏଥର ସ୍ଥିତି କଣ ହେବ ତାହା ଉପରେ ନଜର ରହିଛି ।
ସେପଟେ ପ୍ରଥମରୁ ହିଁ ପ୍ରାର୍ଥୀ ଘୋଷଣା ଠାରୁ ଆରମ୍ଭ କରି ନୋମିନେସନ ଯାଏଁ ଫ୍ରଣ୍ଟଫୁଟରେ ଥିବା ବିଜେପି କ୍ୟାମ୍ପେନିଂ ଜୋରଦାର କରିଛି । ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ବ୍ୟାଟେଲଗ୍ରାଉଣ୍ଡକୁ ଓହ୍ଲାଇଥିବା ସୂର୍ଯ୍ୟବଂଶୀ ସୂରଜା ଡୋର୍ ଟୁ ଡୋର୍ କ୍ୟାମ୍ପେନ ଜାରି ରଖିଛନ୍ତି । ବିଜେପିର ନିଜର ଆସନ ବଜାୟ ରଖିବ ବୋଲି ଆଶା ରଖିଛି । ସେପଟେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଚାନକ ଧାମନଗର ଓ ତିହିଡ଼ି ବିଡିଓଙ୍କ ବଦଳିକୁ ନେଇ ମୁଖ୍ୟ ନିର୍ବାଚନ କମିଶନକୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । ପ୍ରତିନିଧି ମଣ୍ଡଳରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନ ଓ ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀ ଥିବା ସୁଶୀଲ ଲୋହାନୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଥିବା ବେଳେ କେମିତି ଏମିତି ବଦଳି କଲେ ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି ।
କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଅନ୍ୟ ଭେଟରାନ୍ ଲିଡରଙ୍କ ଗହଣରେ ସେ ଆଜି ନୋମିନେସନ ଭରିଛନ୍ତି । ବ୍ରଜରାଜନଗର ପର ଧାମନଗର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଉଭୟ ପ୍ରାର୍ଥୀ ଓ ନେତା । ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ, କ୍ଷେତ୍ର ପ୍ରସ୍ତୁତ । ଏସବୁ ଭିତରେ ରାଜୁଙ୍କ ଏଣ୍ଟ୍ରି ହେଲେ ବିଜେଡି ଗଣିତ ଭୁଲ୍ ହୋଇଯିବା ଆଶଙ୍କା ବି ଅଧିକ । ତେବେ କିଏ ନିଜର ଗୋଟିଚାଳନା ମାଧ୍ୟମରେ ପ୍ରତିପକ୍ଷକୁ ମାତ୍ ଦେଇ ଧାମନଗରରେ ଧାକ୍ ଦେଖାଇବାରେ ସମର୍ଥ ହେଉଛି ତାହା ନଭେମ୍ବର 6 ରେ ସ୍ପଷ୍ଟ ହେବ ।