‘ କଳାସୁନା ଲୁଟ୍ ର ଖଳାନାୟକ ପ୍ରଣବ ବଳବନ୍ତରାୟ। ଡଙ୍କାରୀ ହେଉ ଅଥବା ବିଛାଖଣ୍ଡି ସବୁଠି ଚାଲେ ପ୍ରଣବ ବାବୁଙ୍କ ରିମୋର୍ଟ। ଆଉ ପ୍ରଣବଙ୍କ ରିମୋର୍ଟରେ ନାଚନ୍ତି ଜିଲ୍ଲାପାଳ, ଉପଜିଲ୍ଲାପାଳ ଠାରୁ ଆରମ୍ଭ କରି ତହସିଲଦାର । ଯାଜପୁରକୁ ଯିଏ ଅଫିସର ଆସନ୍ତି ସେମାନେ ଲାଗନ୍ତି ବଳବନ୍ତରାୟଙ୍କ ବ୍ୟବସାୟ ସୁରକ୍ଷା କାମରେ। କେବଳ ନାମକୁ ମାତ୍ର କାମ କରିନ୍ତି। ହେଲେ ଡିସିସନ୍ ମେକର ସାଜିଛନ୍ତି ଖୋଦ୍ ପ୍ରଣବ ବଳବନ୍ତରାୟ’। ଏମିତି କଥା କହି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୁତିରେଖା ପହି ।
ସ୍ମୁତିରେଖା ଅଭିଯୋଗ କରିଛନ୍ତି ଯେ, ଧର୍ମଶାଳା ତହସିଲ ଏବେ ମାଫିଆଙ୍କ ଚରାଭୂଇଁ। .ନେତା, ଅମଲା ଓ ମାଫିଆଙ୍କର ହୋଇଛି ତ୍ରିକୋଣୀୟ ମେଳି। ପ୍ରଶାସନର ଟେଣ୍ଡରର ମହାଖୁଲାସା ପରେ ଏବେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ମୁହଁକୁ ବଞ୍ଚାଇବା ପାଇଁ ପ୍ରୟାସ ଚାଲିଛି । ଆଉ ଏହି ଲୁଟରେ ଖୋଦ୍ ସମ୍ପୃକ୍ତ ଅଛନ୍ତି ଯାଜପୁର ଜିଲ୍ଲାପାଳ। ପିଛିଲା ତାରିଖରେ ମିଟିଂ ଦର୍ଶାଇ ଖସିଯିବାକୁ କରିଛନ୍ତି ବଡ ଚକ୍ରାନ୍ତ।
ବ୍ଲାଷ୍ଟିଂ କରାଯାଇ ଧର୍ମଶାଳାରେ ଲୁଟ୍ ଚାଲିଛି କଳାସୁନା। ଆଉ ଏହି କଳାସୁନାର କଳାକାହାଣୀର ଖୁଲାସା କରିଥିଲା ଅର୍ଗସ। ଆଉ ଅର୍ଗସର ଖୁଲାସା ପରେ ରାତି ଅଧିଆ ଟେଣ୍ଡର ବାତିଲ୍ ହେଲା। କେବଳ ସେତିକି ନୁହେଁ ରାତି ଅଧିଆ ପୋଲିସ ଚଢାଉ କରି 3ଟି କମ୍ପ୍ରେସର, ଗୋଟିଏ ହାଇୱା ଓ 5 ଜଣଙ୍କୁ ଅଟକ ରଖିଛି ଜେନାପୁର ପୋଲିସ । ରାହାଡପୁର ଖାଦାନାରେ ବେଆଇନ୍ ଭାବେ ଲୁଟ୍ କରୁଥିବା ବେଳେ ଏହା ଜବତ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରା ।
ଡଙ୍କାରୀ ଠାରୁ ଆରମ୍ଭ କରି ଆରୁହା, ଆରୁହା ଠାରୁ ରାହାଡପୁର ସବୁଠି ଚାଲିଛି କଳାସୁନାର କଳାଲୁଟ। ଆଉ ଲୁଟ ହୋଇଥିବାର ଅର୍ଥ କେବେ ଫେରିବ ରାଜସ୍ୱ ବିଭାଗକୁ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।