
ଢେଙ୍କାନାଳ: ଢେଙ୍କାନାଳକୁ ଦେଶର ସୁନ୍ଦର ସହର ଭାବେ ଗଢିବା ପାଇଁ ଆମର ପ୍ରୟାସ । ଢେଙ୍କାନାଳ ଜିଲ୍ଲାକୁ ଅଧିକ ସମ୍ପନ୍ନ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ଜିଲ୍ଲାର ସର୍ବ ପୂରାତନ ଜବାହାରଚୌକ ଗଜଲକ୍ଷ୍ମୀ ପ୍ରତିଷ୍ଠାନର ପ୍ଲାଟିନମ୍ ଜୟନ୍ତୀ ସମାରୋହ ତଥା ୭୫ ବର୍ଷ ପୂର୍ତ୍ତି ଓ ସ୍ୱପ୍ନେଶ୍ୱର ବଜାରର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ତଥା ୫୦ ବର୍ଷ ପୂର୍ତି ସମାରୋହ ପାଳନ କରିବା ଅବସରରେ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ବିଶେଷ ଭାବରେ ଢେଙ୍କାନାଳ ଜିଲ୍ଲାରେ ମାଁ ଲକ୍ଷ୍ମୀଙ୍କ ପୂଜା ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିବା ସହ ଜନସାଧାରଣଙ୍କ ମନରେ ଆଦୃତ ଲାଭ କରିପାରିଛି । ଓଡିଶାର କୋଣ ଅନୁକୋଣରେ ସଂସ୍କୃତି ପ୍ରେମୀ ଜନତାଙ୍କ ହୃଦୟରେ ଆକର୍ଷଣୀୟ ପୂଜା ପାଇଁ ଢେଙ୍କାନାଳ ବେଶ୍ ଗୌରବର ଅଧିକାରୀ ।
ଭାରତବର୍ଷରେ ଓଡିଶା ବହୁତ ଆଗକୁ ଯାଇଥିବା ବେଳେ ଧୀରେ ଧୀରେ ଢେଙ୍କାନାଳର ମଧ୍ୟ ପ୍ରଗତି ହୋଇଛି । ଚାଷ,ଜଙ୍ଗଲ, ପାହାଡ, ଖଣି ଓ ଖାଦାନରେ ଭରପୁର ଏହି ଜିଲ୍ଲାକୁ ଆଗକୁ ନେବାର ଆବଶ୍ୟକତା ରହିଛି । ଭାରତରେ ଏହାକୁ ଏକ ଅଗ୍ରଣୀ ଅଂଚଳ ବନାଇବାର ଆବଶ୍ୟକତା ରହିଛି । ଦେଶର ପ୍ରାୟ ୬୦୦ ଜିଲ୍ଲା ମଧ୍ୟରୁ ଢେଙ୍କାନାଳ ସହରକୁ ଗୋଟିଏ ଅଗ୍ରଣୀ ଅଂଚଳ କରାଯିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ କାମ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ ଗୁଡିଆନାଲି ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିବା ସହ ଅନ୍ୟାନ୍ୟ ମଣ୍ଡପ ଦର୍ଶନ କରି ଓଡିଶା ତଥା ଦେଶବାସୀଙ୍କୁ ଲକ୍ଷ୍ମୀପୂଜାର ଅଭିନନ୍ଦନ ଜଣାଇଥିଲେ ।
