ମାଘ ସପ୍ତମୀ ମହାମେଳା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସନ୍ଥକବି ଭୀମ ଭୋଇ ମଣ୍ଡପ ଓ ପାଠାଗାରର ଶୁଭ ଉଦଘାଟନ କରିଥିଲେ । ମହିମା ଧର୍ମରେ ଦର୍ଶନ ଅଛି ଏବଂ ଗବେଷଣାର ଆବଶ୍ୟକତା ରହିଛି । ମହିମା ଧର୍ମ ଓ ବିଚାର ଉପରେ ଅଧିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତଥା ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରିଛନ୍ତି । ଏହାର ଗବେଷଣା କାମ ମଧ୍ୟ ଆରମ୍ଭ ହୋଇସାରିଛି । ଆଗକୁ ୟୁଜିସିର ଅନୁମତି କ୍ରମେ ଓଡ଼ିଶାରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା ହେବ ।
ସେ କହିଛନ୍ତି ଯେ ମହିମା ଗୋସାଇଁ ଓ ଭୀମଭୋଇ ଯୁଗଦ୍ରଷ୍ଟା ଥିଲେ । ପାଖାପାଖି 200 ବର୍ଷ ତଳେ ମହିମା ଗୋସାଇଁ ଭବିଷ୍ୟତକୁ ଦେଖିପାରିଥିଲେ । କୌଣସି ନିର୍ଦ୍ଦିଷ୍ଟ ସମୁଦାୟ ପ୍ରତି ହିଂସା କରି ନୁହେଁ ବରଂ ସମସ୍ତ ସମୁଦାୟଙ୍କୁ ସାଥିରେ ନେଇ ସମାଜରେ ସମାନତା ଓ ଏକତା ପ୍ରତିଷ୍ଠା କରିବାର ମାର୍ଗ ଦେଖାଇଛନ୍ତି। ମହିମା ଗୋସାଇଁଙ୍କ ବାର୍ତ୍ତା, ସନ୍ଥ କବି ଭୀମ ଭୋଇଙ୍କ ମହିମା ଧର୍ମର ମହାନ ବାର୍ତ୍ତାର ପ୍ରଚାର ଯୋଗୁଁ ବିଶେଷତଃ ଗରିବ ଶ୍ରେଣୀ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ଏହି ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହେଉଛି ମହିମା ଧର୍ମର ବିଚାର । ଭୀମ ଭୋଇଙ୍କ ରଚନାରେ ସମବେଦନା, ବିଚାରଧାରା ଏବଂ ସାମାଜିକ ଉତ୍ତର ଦାୟିତ୍ୱ ଅଛି ତାହାର ପ୍ରତିଫଳନ ସବକା ସାଥ- ସବକା ବିକାଶରେ ଅନ୍ତର୍ନିହିତ ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”; ଏହା ହେଉଛି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ କାଳଜୟୀ ବିଚାର, ଯାହା ଆଜି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଭୀମଭୋଇ କେବଳ ମହିମାପନ୍ଥୀଙ୍କ ଭିତରେ ସୀମିତ ନୁହଁନ୍ତି । ଜଣେ ସମାଜବାଦୀ, ସମ୍ବେଦନଶୀଳ, ମାନବବାଦୀ କବି ଭାବେ ସେ ସାରା ଓଡ଼ିଶାବାସୀଙ୍କର ଗର୍ବ ଓ ଗୌରବ ଅଟନ୍ତି । ଶୂନ୍ୟ-ଅଲେଖ ମାହାତ୍ମ୍ୟ ତଥା ମହିମା ବିଚାର ଦର୍ଶନର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଏବଂ ମହିମା ସାହିତ୍ୟର କଳେବର ବୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।