ଆପଣ ବୁଝିପାରୁଥିବେ ଆମେ କହୁଥିବା ନାୟିକାଟି ସମ୍ପର୍କରେ। ଅନେକ ଓଡ଼ିଆ ଆଲବମ୍ ଗୀତରେ ନିଜର ଛାପ ଛାଡି ଯାଇଥିବା ଆଲବମ କୁଇନ ଦୀପା ସାହୁ ଆଜି ନାହାନ୍ତି ସତ, ହେଲେ ସେ ଗୀତଗୁଡାକ ଶୁଣିଲେ ଆପେ ଆପେ ମାନସପଟକୁ ଉତୁରୀ ଆସନ୍ତି ସିଏ।
ଗତବର୍ଷ ଠିକ୍ ଆଜିର ଦିନରେ ହଠାତ୍ ହସ୍ପିଟାଲରୁ ଖବର ଆସିଥିଲା ଲିଭିଗଲା ଦିପାଙ୍କ ଜୀବନ ଦୀପ । ସେ ଆଉ ଏ ଦୁନିଆଁରେ ନାହାଁନ୍ତି । କର୍କଟ ରୋଗରେ ପୀଡିତ ଥିବା ଦୀପା, ଜୀବନ ମରଣ ସହ ଲଢେଇ କରି ଶେଷରେ ହାରି ଯାଇଥିଲେ ୨୦୨୦ ଜୁଲାଇ ୨୭ରେ।
ଏହି ଖବର ଶୁଣିବା ପରେ ସତେ ଯେପରି ସମସ୍ତେ ଏକପ୍ରକାର ସ୍ତବ୍ଧ ହୋଇ ଯାଇଥିଲେ, ସ୍ଥାଣୁ ପାଲଟି ଯାଇଥିଲେ ଓଲିଉଡ ଜଗତ । କଥାଟି ସତ ହୋଇଥିଲେ ମଧ୍ୟ ଏକଥାକୁ ସହଜରେ କେହି ବିଶ୍ୱାସ କରି ପାରୁ ନ ଥିଲେ । ହେଲେ ବିଧିର ବିଧାନକୁ କିଏବା ଅଟକାଇ ପାରିବ । ଘର ପରିବାର, ସ୍ୱାମୀ ,ଝିଅ ଏବଂ ଆତ୍ମୀୟ ସ୍ୱଜନକୁ ଛାଡି, ମାତ୍ର ୩୭ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ଦୀପା ସାହୁ, ୧୯୮୫ ଅକ୍ଟୋବର ୨୫ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ। ୧୬ ବର୍ଷ ବୟସରୁ ମା’ଙ୍କୁ ହରାଇଥିଲେ । ଏହାପରେ ଘରର ସମସ୍ତ ଦାୟିତ୍ବ ସମ୍ଭାଳି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ, ଆରମ୍ଭ କରିଥିଲେ ନିଜର ଯାତ୍ରା । ଅନେକ ବାଧାବିଘ୍ନକୁ ପାର କରି ସେ ଶେଷରେ ନିଜ ସ୍ବପ୍ନକୁ ସାକାର କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ସଫଳତା ହାସଲ କରିଥିଲେ ସେ । ଆଲବମ୍ ଦୁନିଆଁର କଥା ଆସିଲେ ସେଥିରୁ ଦିପା ସାହୁଙ୍କ ନାଁ ବାରି ହୋଇପଡେ । ସେ କେବଳ ଦିପା ସାହୁ ନ ଥିଲେ ବରଂ ସେ ଥିଲେ ଆଲବମ୍ କୁଇନ୍ ଦୀପା ସାହୁ । ଏହି ନାଁରେ ଲୋକେ ତାଙ୍କୁ ବେଶି ଚିହ୍ନୁଥିଲେ ।
‘ତୋ କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ , ଝିଅଟେ ,ମେଡ ଇନ୍ ଓଡିଶା ହେଉ କି ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ଏମିତି ଶହ ଶହ ଆଲ୍ବମ୍ ଗୀତରେ ସେ ଅଭିନୟ କରିଥିଲେ ।
ତେବେ ଆଜିର ଦିନରେ ଅର୍ଗସ୍ ପରିବାର ତରଫରୁ ତାଙ୍କ ପାଇଁ ଏତିକି ପ୍ରାର୍ଥନା, ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ କୁନି ଝିଅକୁ ଆଶୀର୍ବାଦ କରନ୍ତୁ । ତାଙ୍କ ପରିବାରକୁ ସୁଖରେ ରଖନ୍ତୁ ।