ଏ କ’ଣ ବ୍ରହ୍ମର ମହିମା। ଭକ୍ତକୁ ନାରୀମାନେ ତାଛଲ୍ୟ କରିବେ!
ଦୁଖରେ ମ୍ରିୟମାଣ ହୋଇ ଅଲବନ୍ଦାଚାର୍ଯ୍ୟ ସମୁଦ୍ରରେ ଝାସ ଦେବାକୁ ଯାଆନ୍ତି। ଏହାକୁ ଦେଖି ଏକ ବିରାଟକାୟ ମାଙ୍କଟ ସମୁଦ୍ର ମଧ୍ୟରୁ ଦକ୍ଷିଣ ଦିଗକୁ ଲମ୍ପ ପ୍ରଦାନ କରେ। ଇଶାରା ଦିଅନ୍ତି ମହାପ୍ରଭୁ।
‘ଆଶ ଭକ୍ତ, ଦକ୍ଷିଣରୁ ଆସିଛ, ଦକ୍ଷିଣ ଦିଗକୁ ଆସ। ମୁଁ ତୁମକୁ ଦର୍ଶନ ଦେବି’’
ଅଲବନ୍ଦା ଏହାକୁ ହନୁମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଭାବି ନିଅନ୍ତି। ଆଉ ଶ୍ରୀକ୍ଷେତ୍ରର ଦକ୍ଷିଣ ଦିଗକୁ ଯାତ୍ରା କରି ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରନ୍ତି ଏଇ ବ୍ରହ୍ମଗିରୀର ଅଲାରନାଥ ପୀଠରେ। ଅଲବନ୍ଦାଚାର୍ଯ୍ୟଙ୍କ ନାଥ ହୋଇଥିବାରୁ ଏହାଙ୍କର ନାଁ ହୁଏ ଅଲାରନାଥ।
ଗବେଷକମାନଙ୍କ ମତାନୁଯାୟୀ ‘ଅଲାରନାଥ’ ନାଁଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଆଲୋୟାର ନାଥ ବା ଭକ୍ତଙ୍କର ନାଥ ହୋଇଥିବା ଏହି ବିଷ୍ଣୁ ବିଗ୍ରହଙ୍କ ନାମ ଅଲାରନାଥ।
ମହାପ୍ରଭୁ ଅଲବନ୍ଦାଚାର୍ଯ୍ୟଙ୍କୁ ଏହିଠାରେ ଚତୁର୍ଭୁଜ ବିଷ୍ଣୁ ଭାବେ ଦର୍ଶନ ଦେଇଥିବାରୁ ଏଠାରେ ଅଣସର ଦର୍ଶନର ପ୍ରଥା ଆଜି ଯାଏଁ ପ୍ରଚଳିତ। ମଣିମା ଅନବସରେ ଗୃହରେ ଥିବାରୁ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ପ୍ରଦାନ କରେ ବୋଲି କୁହାଯାଏ। ଐତିହାସିକମାନଙ୍କ ମତରେ ୧୧୨୮ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ଚତୁର୍ଥ ନରପତି ମଦନ ମହାଦେବଙ୍କ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିଲା ।