ସେଠାରେ ପୋଲିଓ ଦେବା ସମୟରେ ସ୍ଥାନୀୟ ଅଞ୍ଚଳର ଗାଁରେ ରିନା ମାଁ ନାମକ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ଡାକ୍ତର ରାଧେଶ୍ୟାମ ଜେନା ଗାଁରେ ହିଁ ମହିଳାଙ୍କ ପ୍ରସବ କରାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କ ଗର୍ଭରେ ଦୁଇଟି ସନ୍ତାନ ଥିବାରୁ ପ୍ରସବ କରାଇବା କଷ୍ଟକର ହୋଇଥିଲା । ତେଣୁ ବାଧ୍ୟ ହୋଇ ଡାକ୍ତର ରାଧେଶ୍ୟାମ ଓ ତାଙ୍କ ସହାୟକ ସୁକାନ୍ତ ସାହୁ ଭାରରେ ଦୀର୍ଘ ୩୦ କିଲୋମିଟର ପାହାଡ ଜଙ୍ଗଲ ଡେଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତରଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।
ପାହାଡ଼ ପର୍ବତ ଘେରା ମାଲକାନଗିରି ଜିଲ୍ଲାର ଏକ ନିପଟ ମଫସଲ ଗୋଡ଼ିଗଣ୍ଡି ଗାଁ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ଜଣେ ଡାକ୍ତର ଓ ତାଙ୍କ ଟିମ୍। ସେମାନଙ୍କ ଯୋଗୁ ତାଙ୍କ ଜୀବନ ବଞ୍ଚିବା ସହିତ ତାଙ୍କର ଗୋଟିଏ ଛୁଆ ସୁସ୍ଥ ଅଛି। ତେବେ ଆଉ ଗୋଟିଏ ଛୁଆ ନଷ୍ଟ ହୋଇଯାଇଛି।
ଦିନ ପ୍ରାୟ ୧୨ଟା ବେଳକୁ ସେମାନେ ଏହି କଷ୍ଟସାଧ୍ୟ ଯାତ୍ରା ଆରମ୍ଭ କରିଥିଲେ। ଦୁର୍ଗମ ପାହାଡ଼ିଆ ରାସ୍ତା ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ରାତି ୮ଟା ହୋଇଯାଇଥିଲା। ସେଠାରେ ରୀନାଙ୍କର ପୁଣି ଥରେ ପ୍ରସବ କରାଯାଇଥିଲା। ତେବେ ସେତେବେଳକୁ ଛୁଆଟି ମରି ଯାଇଥିଲା। କିନ୍ତୁ ସୁଖର କଥା ଡାକ୍ତର ଓ ତାଙ୍କ ଟିମ୍ର ଉଦ୍ୟମ ଯୋଗୁ ରୀନାଙ୍କ ଜୀବନ ବଞ୍ଚି ଯାଇଥିଲା। ତା’ସହିତ ସେ ପ୍ରଥମେ ପ୍ରସବ କରିଥିବା ଛୁଆଟି ମଧ୍ୟ ସୁସ୍ଥ ଅଛି।
ସ୍ଥାନୀୟ ଲୋକେ ଡାକ୍ତର ଜେନା ଓ ତାଙ୍କ ଟିମ୍ର ଏତାଦୃଶ୍ୟ କାର୍ୟ୍ୟକୁ ବହୁତ ପ୍ରଶଂସା କରୁଛନ୍ତି। ହୁଏତ ସେମାନେ ସେଦିନ ସେଠାକୁ ଯାଇ ନଥିଲେ ଓ ରୀନାଙ୍କୁ ଡାକ୍ତରଖାନା ଆଣି ନଥିଲେ ଆଉ ଦୁଇଟି ଜୀବନ ବି ଲିଭିଯାଇଥା’ନ୍ତା।