ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ , ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ ।
କେବଳ ପୁରୀ ନୁହେଁ ରାଜ୍ୟର କୋଣ ଅନୁକୋଣରେ ଝୁଲଣ ମଣ୍ଡପରେ ଦୋଳିରେ ଝୁଲିବା ପରେ ସୁସଜ୍ଜିତ ବିମାନରେ ବିଜେ କରିଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି। ଐତିହାସିକ ସହର କଟକରେ 80ରୁ ଉର୍ଦ୍ଧ୍ବ ବିମାନ ସଜେଇ ହୋଇ ଦୋଳମୁଣ୍ଡାଇ ରଥ ପଡିଆରୁ ବାହାରି ସହର ପରିକ୍ରମା କରି ବାସ୍ତରୀ ମଠରେ ପହଞ୍ଚିଥିଲା।
ଏହାପରେ ସବୁ ସାହିର ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ। ନାଚ ଗୀତର ତାଳେ ତାଳେ ଶ୍ରୀଜୀଉମାନଙ୍କୁ ପୁରା ନଗର ପରିକ୍ରମା କରାଯାଇଥିଲା। ସାଲେପୁର କିଶିନାପୁର ଚାଟେଶ୍ବର ମେଳଣ ପଡିଆ ବି ଉତ୍ସବ ମୁଖର। ପାଟଣାଗଡରେ ଦୋଳ ମେଳଣର ନିଆରା ଉତ୍ସବ ଦେଖିବାକୁ ମିଳିଥିଲା। ଆନନ୍ଦପୁର ଉପଖଣ୍ଡ ଫକିରପୁର ଗାଁରେ ମଧ୍ୟ ବେଶ୍ ଧୁମଧାମରେ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା ।
ଦୋଳ ପୂର୍ଣ୍ଣିମା ପରେ ବୁଧବାର ହୋଲି। ରଙ୍ଗର ପର୍ବ ହୋଲିକୁ ଶାନ୍ତି ଶୂଙ୍ଖଳାର ସହ ପାଳିବାକୁ ଟ୍ବିନ ସିଟିରେ 50 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରିବାର ସହ ହର୍ବାଲ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ପୋଲିସ।
ବୁର୍ଲାରେ ହୋଲି ପାଇଁ ନୋ ବାଥ ଜୋନ୍ ଘୋଷଣା କରାଯାଇଛି। ଏସପିଙ୍କ ନିର୍ଦ୍ଧେଶ କ୍ରମେ ବୁର୍ଲାର ଝଙ୍କରାଣୀ ମନ୍ଦିର, ଅଠର ହଜ଼ାର, ସାଇଫୋନ, ହୀରାକୁଦ ଡ଼ାଇକ ଅଞ୍ଚଳ, ଜ଼ିରୋ ପଏଣ୍ଟ ଓ ପାୱାର ଚେନାଲରେ ଲାଗିଛି କଟକଣା l