ଭୁବନେଶ୍ୱର: ପୁରୁଷୋତ୍ତମ ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ୧୩୩ତମ ପବିତ୍ର ଜନ୍ମୋତ୍ସବ ଭୁବନେଶ୍ୱର କଲ୍ୟାଣପୁର ସତ୍ସଙ୍ଗ କେନ୍ଦ୍ର ସ୍ୱସ୍ତିବନ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ଭର୍ଚୁଆଲ ସତସଙ୍ଗ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ସାମିଲ ହୋଇଛନ୍ତି ।
ଏହି ଭର୍ଚୁଆଲ ସତସଙ୍ଗ ଅବସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ମହାନ ଭାରତବର୍ଷ ହେଉଛି ଆଧ୍ୟାତ୍ମିକ ଚେତନାର ପୂଣ୍ୟଭୂମି । ଯୁଗେଯୁଗେ ଏହି ମାଟିରେ ସନ୍ଥ ମହାତ୍ମାଗଣଙ୍କ ଆବିର୍ଭାବ ହୋଇଛି । ସେମାନଙ୍କ ଚେତନା ଭାରତୀୟ ମାନଙ୍କୁ ଏବଂ ବିଶ୍ୱବାସୀଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସମସ୍ତଙ୍କ ଜୀବନ ଧାରାକୁ ମଙ୍ଗଳମୟ କରିଛି । ମନୁଷ୍ୟ ଜୀବନରେ ଖାଦ୍ୟ,ବସ୍ତ୍ର ଓ ବାସଗୃହ ଯେପରି ମୌଳିକ ଆବଶ୍ୟକତା ସେପରି ମଣିଷ ଜୀବନକୁ ମଙ୍ଗଳମୟ କରିବା ପାଇଁ ସତସଙ୍ଗ ଆଜିର ସମାଜରେ ଖୁବ ପ୍ରାସଙ୍ଗିକ ହୋଇଛି ।
ଏଥିସହିତ ଶ୍ରୀ ଅନୁକୂଳଚନ୍ଦ୍ର ଦ୍ୱାରା ପ୍ରତିଷ୍ଠିତ ସତସଙ୍ଗ ଆଶ୍ରମ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ ମାନବ କଲ୍ୟାଣ କାର୍ଯ୍ୟରେ ସମର୍ପିତ ହୋଇ ନିଜର ଗରିମାମୟ ପରିଚୟ ସୃଷ୍ଟି କରିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ‘ସତସଙ୍ଗୀ’ ହେବାକୁ ପୁରୁଷୋତ୍ତମ ଠାକୁର ଶ୍ରୀ ଅନୁକୂଳଙ୍କ ବାଣୀ ସମାଜରେ ସମାନତା ଓ ଆଧ୍ୟାତ୍ମିକତା ପ୍ରତିଷ୍ଠା ପାଇଁ ବଳିଷ୍ଠ ଯୋଗଦାନ କରିଆସିଛି । ଏକବିଂଶ ଶତାବ୍ଦୀରେ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ପ୍ରେରଣାରେ ରାଜ୍ୟ, ଦେଶ, ବିଶ୍ୱ ତଥା ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ରାସ୍ତା ତିଆରି କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।