କୁଆଡେ ଗଲା ମୌସୁମୀ । ବର୍ଷାର ନାହିଁ ଦେଖା । ପାଣି ଅପେକ୍ଷାରେ ଚାଷ ଜମି । ଡହ ଡହ ଖରା। ମାଟିରେ ପାଦ ଥୋଇ ହେଉନି । ଆଷାଢ଼ ମାସରେ ମଧ୍ୟ ଏଭଳି ଦୃଶ୍ୟ ଚାଷୀଙ୍କୁ ଚକିତ କରିଛି। ଧାନ ଚାଷ ପାଇଁ ବୁଣା ଯାଇଥିବା ବିହନ ବାହାରିବା ବେଳକୁ ସୂର୍ଯ୍ୟଙ୍କ ଅସହ୍ୟ ତାପରେ ଜାଳି ପୋଡି ପାଳ ହୋଇଯାଉଛି। ଏହା ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ। ମୌସୁମୀ ଆସିବା ଖବର ପାଇ ତରବରିଆ ଭାବେ ଚାଷୀ ବଜାରରୁ ଚଢ଼ା ଦରରେ ବିହନ କିଣି ବୁଣିଥିଲେ । ହେଲେ ମୌସୁମୀ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଛି । ଜଳ ଅଭାବରୁ ଜମିର ମାଟି ଫାଟି ଆଁ କରିବା ସହ ଗଜା ନଷ୍ଟ ହୋଇଯାଇଛି। ଫସଲ ବଞ୍ଚାଇବା ପାଇଁ ବହୁ ଦୂରରୁ ପାଣି ବୋହି ଆଣି ହାତରେ ଚାଷୀ ଛିଞ୍ଚନ କରୁଥିବା ଦେଖିବାକୁ ମିଳିଛି।
ଅତ୍ୟଧିକ ରୌଦ୍ରତାପ ଯୋଗୁଁ କୂଅ, ପୋଖରୀ ଓ ଗାଡ଼ିଆର ଜଳ ମଧ୍ୟ ଶୁଖିଯାଇଛି । କିଛି ସ୍ଥାନରେ ପୋଖରୀ ଏବେ ଗୋରୁଗାଈଙ୍କ ଚାରଣ ଭୂମି ପାଲଟିଛି । ଜଗନ୍ନାଥପ୍ରସାଦ ବ୍ଲକର ପ୍ରତାପୁର, କୁଡୁତାଇ ଗେରେଡା ଅଞ୍ଚଳରେ ଚାଷ ଜମିକୁ ପାଣି ପାଇଁ କୌଣସି ଵ୍ୟବସ୍ଥା ନଥିବାବେଳେ କେବଳ ଆକାଶର ମେଘ ବର୍ଷାକୁ ସମସ୍ତେ ଚାହିଁ ରହିଥାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର