ସୂଚନା ଅନୁଯାୟୀ, ସାକିଲାଭା ଗ୍ରାମର ଅଞ୍ଚଳି ପିଡିକା(୧୫) ଦୁଇଦିନ ତଳେ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୋଇଥିବା ସ୍ଥାନ ନିକଟରେ ନିଆଁ ଲଗାଇ ଶୋଇ ପଡ଼ିଥିଲେ। ଏହି ନିଆଁ ଅଞ୍ଚଳିଙ୍କ ଶରୀରରେ ଲାଗିଯିବାରୁ ତାଙ୍କର ଦୁଇଟି ପାଦ ଓ ଜଙ୍ଘ ପୋଡ଼ି ଯାଇଥିଲା। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବା ସହିତ ରାସ୍ତାରେ ପଡ଼ୁଥିବା ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସୁନଥିବାରୁ ବାପା ମୁସୁରି ପିଡିକା ଓ ମାଆ ଆଲିକି ପିଡିକାଙ୍କ ସହିତ ଅନ୍ୟ କିଛି ଜଣ ଅଞ୍ଜଳିଙ୍କୁ ଏକ ଝୁଡ଼ି ଭିତରେ ବସାଇ ୫କିଲୋମିଟର ବୋହି ଆଲମଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଅଞ୍ଚଳିଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେଳେ ରାସ୍ତାରେ ପଡ଼ୁଥିବା ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଯାତାୟାତ ସମୟରେ ଗ୍ରାମବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପକ୍କା ରାସ୍ତା ଓ ପୋଲ ନିର୍ମାଣ ପାଇଁ ବହୁବାର ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅତି ଶୀଘ୍ର ରାସ୍ତା ଓ ପୋଲ ନିର୍ମାଣ କରିବା ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।