ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଫେକ୍ ସାର୍ଟିଫିକେଟ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବିଜେଡି ନେତା ମନୋଜ ମିଶ୍ର ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଡାହାଣ ହାତ ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ସୁଶାନ୍ତ ସିଂହଙ୍କ ସହ ମନୋଜ ମିଶ୍ରଙ୍କ ଫଟୋ ଦେଖାଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ସହ ଜାଲ ସାର୍ଟିଫିକେଟ ବିକ୍ରି ଘଟଣାରେ ସମୁଦାୟ ୧୯ ଜଣକୁ ଗିରଫ କରି ସାରିଛି ପୋଲିସ । ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ଏବେ ଫୁଲବାଣୀରେ ଧରାପଡ଼ିଛନ୍ତି ନକଲି ସାର୍ଟିଫିକେଟ୍ଧାରୀ । ଗ୍ରାମୀଣ ଡାକ ସେବକ ଅଧୀନ ଶାଖା ପୋଷ୍ଟମାଷ୍ଟର ଓ ସହାୟକ ଶାଖା ପୋଷ୍ଟମାଷ୍ଟର ପଦବୀ ପାଇଁ ସାର୍ଟିଫିକେଟ୍ ଯାଞ୍ଚ ସମୟରେ ଜଣଙ୍କ ପରେ ଜଣେ ପ୍ରାର୍ଥୀ ଧରାପଡ଼ୁଛନ୍ତି । କିଏ ଉତ୍ତରପ୍ରଦେଶରୁ ମାଟ୍ରିକ୍ ପାସ୍ କରିଥିବା ସାର୍ଟିଫିକେଟ୍ ଦାଖଲ କରିଛନ୍ତି ତ ଆଉ କିଏ ଆନ୍ଧ୍ରପ୍ରଦେଶରୁ । ନକଲି ସାର୍ଟିଫିକେଟ୍ର ଚେର ୫ ଜିଲ୍ଲାକୁ ଛୁଇଁବା ସହ ପାଖାପାଖି ୫୦ଜଣ ପ୍ରାର୍ଥୀ ଧରାପଡ଼ିଲେଣି । ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିବା ପରେ ଡାକ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଥାନାରେ ଆବେଦନକାରୀ ପ୍ରାର୍ଥୀଙ୍କ ନାମରେ ଏତଲା ଦିଆଯାଇଛି ।
ସେପଟେ ବାଣିକ୍ କୋଚିଂ ସେଣ୍ଟର ସିଏମଡି ସୁବ୍ରତ ଛାଟୋଇ । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପାଖଲୋକ । ବିଜେଡିର ହେଭିୱେଟ ନେତାଙ୍କ ସହ ଅତି ଘନିଷ୍ଠ ଏହି ସୁବ୍ରତ ଛାଟୋଇ । ଯାହାର ଫାଇଦା ନେଇ ବର୍ଷ ବର୍ଷ ଧରି ଟିକସ ଫାଙ୍କି ଆସୁଥିଲେ ସୁବ୍ରତ । ତେବେ ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା ସନ୍ଦେହ କରି ଯାଞ୍ଚ ଚଳାଇଛି ସେଣ୍ଟ୍ରାଲ ଜିଏସଟି । ଗତ ୫ ବର୍ଷ ଧରି ଟିକସର ଅନୁଧ୍ୟାନ କରିବା ପରେ ମ୍ୟାଟେରିଆଲ ସପ୍ଲାଏ ବାବଦରେ ୧୮ ପ୍ରତିଶତ ଟିକସ ଫାଙ୍କୁଥିବା ନଜରକୁ ଆସୁଥିଲା । ଖାଲି ସେତିକି ନୁହେଁ ସରକାରୀ ଚାକିରି ପକ୍କା ନାଁରେ ବଣିକରେ ଆଡମିଶନ କରାଇ ସୁବ୍ରତ ନିଯୁକ୍ତି କେଳେଙ୍କାରୀ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ ।
ନକଲି ସାର୍ଟିଫିକେଟର ବୁଢିଆଣୀ ଜାଲ । ତଦନ୍ତ ଲାଗି ଉତ୍ତରପ୍ରଦେଶର ମିରଟ ଓ ଝାନସୀ ଯିବ ଓଡ଼ିଶା ପୁଲିସ । ଏଠି ପ୍ରଶ୍ନ, ମନୋଜ ମିଶ୍ର କାହା ପୃଷ୍ଠପୋଷକତାରେ ଚଳାଇଥିଲେ ଫେକ୍ ସାର୍ଟିଫିକେଟର କଳା ସାମ୍ରାଜ୍ୟ ? ରାକେଟ ପଛରେ ଅଭିଯୋଗ ଆସୁଥିବା ବିଜେଡି ଲିଙ୍କକୁ ନେଇ ତଦନ୍ତ ପରିସରକୁ ନେବ ତ ପୋଲିସ ?