କେବଳ କଟକ, ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ବି ଏଭଳି ଔଷଧ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏହାକୁ ଯଥାସମ୍ଭବ ଗୋପନୀୟ ଢ଼ଙ୍ଗରେ କରାଯାଉଛି। ଏବେ ସ୍ଥିତି ଏମିତି ଯେ ଅଧିକାଂଶ ବିଶ୍ୱାସ ଆଉ ଭରସାଯୋଗ୍ୟ ଔଷଧର ନକଲି ପ୍ରସ୍ତୁତ କରାଯାଇ ବଜାରକୁ ଛଡା ଯାଇଥିବା ସନ୍ଦେହ କରାଯାଉଛି। ହେଲେ, କୌଣସି ପ୍ରକାର ତଥ୍ୟ ପ୍ରମାଣ ଆଉ ନିଷ୍କର୍ସରେ କର୍ତ୍ତୃପକ୍ଷ ପହଞ୍ଚି ପାରୁନଥିବାରୁ ଏବେ ସନ୍ଦେହରେ କେବଳ ବିଭିନ୍ନ ଔଷଧକୁ ବଜାରରୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଭୁବନେଶ୍ୱରରେ ଏଭଳି ୩୦ ପ୍ରକାର ଔଷଧ ଫେରସ୍ତ ପାଇଁ ଔଷଧ ବ୍ୟବସାୟୀଙ୍କୁ ହ୍ୱାଟ୍ସଆପରେ ସୂଚନା ଦିଆଯାଉଥିବା ବେଳେ କଟକରେ ପ୍ରାୟ ୨୦ ପ୍ରକାର ଔଷଧ ଫେରାଇ ଦେବାପାଇଁ ବିଭିନ୍ନ ଔଷଧ ବ୍ୟବସାୟୀଙ୍କୁ ଫୋନରେ ସୂଚନା ଦିଆଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀ ଫୋନରେ ଅଥବା ନିଜେ ଦୋକାନରେ ପହଞ୍ଚି ଏଭଳି ସୂଚନା ଦେଉଛନ୍ତି।
ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ବଜାରରୁ ଏଭଳି ଔଷଧକୁ ଫୋରସ୍ତ ନେବା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଛି। ଗୋଟିଏ ପଟେ ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ୱ ହେଉଥିବାବେଳେ ଅନ୍ୟପଟେ ଯେଉଁ ବ୍ୟାଚର ଟଔଧକୁ ନେଇ ବିଭାଗ ସନ୍ଦେହ କରୁଛି, ପଦକ୍ଷେପ ନେଲା ବେଳକୁ ସେହି ସବୁ ଔଷଧ ଅଧାରୁ ଅଧିକ ବଜାରରେ ବିକ୍ରି ହୋଇସାରୁଛି। ଏଭଳି ସ୍ଥିତି ଏବେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି। ବିଶେଷକରି କୋଭିଡ୍ ମହାମାରୀ ଆରମ୍ଭ ପରଠାରୁ ଔଷଧ ବ୍ୟବସାୟ ଆକାଶଛୁଆଁ ହୋଇଥିବା ବେଳେ ଚାହିଦାର ଫାଇଦା ନେବାକୁ ଉଦ୍ୟମ କରି ଆସିଛନ୍ତି ଅସାଧୁ ବ୍ୟବସାୟୀ।