କିନ୍ତୁ ଛତୁ ଚାଷ ପାଇଁ ଆବଶ୍ୟକୀୟ ଛଣ ନ ମିଳିବା କାରଣରୁ ଛତୁଚାଷ ବନ୍ଦ କରି ଆରମ୍ଭ କରିଛନ୍ତି ଜିଆଖତ ଉତ୍ପାଦନ । ଏଥିରୁ ତାଙ୍କର ମାସିକ ୭/୮ ଟନ ଖତ ଉତ୍ପାଦନ ହେଉଥିଲେ ହେଁ ବଜାର ମିଳୁନଥିବାରୁ ବିକ୍ରି ପାଇଁ ସରକାରୀ ହସ୍ତକ୍ଷେପ ଚାହୁଁଛନ୍ତି ଦାମୋଦର ।
ଗ୍ରାମୀଣ ଭଦ୍ରକର ଜଣେ ଚାଷୀ ଅଞ୍ଚଳରେ ପ୍ରଥମ କରି ଆରମ୍ଭ କରିଛନ୍ତି ଅପେକ୍ଷାକୃତ ଟିକେ ବଡ଼ ଆକାରର ଜିଆଖତ ଉତ୍ପାଦନ କେନ୍ଦ୍ର । ଏଥିରେ ସେ ୬/୭ ଲକ୍ଷ ଟଙ୍କା ବିନିଯୋଗ କରି ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ଓ ସରଞ୍ଜାମ କିଣିଛନ୍ତି ।
ଆଜବେଷ୍ଟସ ଛାଉଣୀ ସହିତ ସିମେଣ୍ଟ ଖୁଣ୍ଟରେ ନିର୍ମିତ ହୋଇଛି ସେଡ । ସ୍ୱତନ୍ତ୍ର ଭାବେ ନିର୍ମିତ ସିମେଣ୍ଟ କୁଣ୍ଡ ଭିତରେ ଜିଆ ଛାଡି ଖତ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି ।
ଖତ ଗୁଡିକ ଭଲରେ ସଢ଼ିବା ପାଇଁ ପଲିଥିନ ଜରି ଆଚ୍ଛାଦିତ କରାଯିବା ସହିତ ସିଞ୍ଚାଯଉଛି ଜଳ । ଭଲରେ ପାଗ ହୋଇଯିବା ପରେ ଖତକୁ ହସ୍ତ ଚାଳିତ ମେସିନ ଦ୍ୱାରା ଛାଣି ସଫା କରାଯାଇ ବିକ୍ରି ଯୋଗ୍ୟ କରାଯାଉଛି । ଏଭଳି ବ୍ୟବସାୟରେ ପାଦ ଥାପିଥିବା ଦାମୋଦର କହନ୍ତି ଏଠାରୁ ମାସକୁ ୭/୮ ଟନ ଜିଆ ଖତ ଉତ୍ପାଦନ ହେଉଛି । ଉତ୍ପାଦନ ତୁଳନାରେ ବିକ୍ରି ପାଇଁ ବଜାର ମିଳୁନି । ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ସରକାରୀ ନର୍ସରୀ ଗୁଡିକ ଖତ କିଣିନେଲେ ଏହି ୟୁନିଟ ବଂଚିପାରିବ ବୋଲି କହିଛନ୍ତି ଗାଁର ଜଣେ ବାସିନ୍ଦା ପଦ୍ମଲୋଚନ ବେହେରା ।
ଦାମୋଦରଙ୍କ ପ୍ରୟାସରେ ଏଠାରେ ତିଆରି ହେଉଛି ମାଟିକୁ ସଂଜୀବନୀ ଦେଉଥିବା ଜିଆଖତ । ଲମ୍ବା ଲମ୍ବା ଜିଆ ଗୁଡିକ ଖାଦ୍ୟ ଓ ଜଳ ପାଇ ଅଧିକରୁ ଅଧିକ ଖତ ସୃଷ୍ଟି କରୁଛନ୍ତି । ସିମେଣ୍ଟ କୁଣ୍ଡ ଗୁଡିକରେ ଜମା ହୋଇରହିଛି ଖତ । କିନ୍ତୁ ଏଗୁଡ଼ିକୁ ଠିକ ସମୟରେ ବିକ୍ରି ପାଇଁ ଦାମୋଦରଙ୍କୁ ମିଳୁନି ବଜାର ।
ବିକ୍ରି ହୋଇପାରିବା ଆଶାରେ ଚାଷୀ ଜିଏସଟି ରିଟର୍ଣ୍ଣ ଭରୁଥିବା ବେଳେ ସରକାରୀ ସଂସ୍ଥା କିଣିନେଉନାହିଁ ଖତ । ଖର୍ଚ୍ଚ କାଟ କରିବା ପାଇଁ ଦାମୋଦର ନିଜେ ଏଥିରେ ଶ୍ରମ ଦେଉଥିବା ବେଳେ ନିଜର ତିନି ପୁଅଙ୍କୁ ଲଗାଇଛନ୍ତି କାମରେ । ଖତ ଗୁଡିକୁ ପ୍ୟାକ କରିବା ଠାରୁ ବଜାର ପ୍ରବେଶ ଯାଏଁ ଦାମୋଦର ଓ ତାଙ୍କର ତିନି ପୁଅ ଲାଗିଛନ୍ତି କାମରେ ।
ତାଙ୍କର ବଡ଼ ପୁଅ ଲକ୍ଷ୍ମଣ କହନ୍ତି ଆମେ ଯଦି ନିଜେ ପରିଶ୍ରମ ନ କରି ଲେବର ଲଗାଇବୁ ତେବେ ମୂଳ ବି ଉଠିବନି । ସ୍ଥାନୀୟ ସରପଞ୍ଚ କହନ୍ତି ଜିଆଖତ ବିକ୍ରି ଦିଗରେ ସରକାରୀ ପ୍ରୋତ୍ସାହନ ମିଳିଲେ ଚାଷୀ ଓ ପରିବେଶ ଉଭୟଙ୍କୁ ଲାଭ ମିଳନ୍ତା । ଗାଁରେ ପ୍ରତିଷ୍ଠିତ ଏଭଳି ଜିଆଖତ ଉତ୍ପାଦନ ୟୁନିଟ ପାଇଁ ବଜାର ବ୍ୟବସ୍ଥା କରାଯାଇପାରିଲେ ଚାଷୀ ଅଧିକ ଆୟ ପାଇବା ସହିତ ଅନ୍ୟ ମାନଙ୍କୁ ମିଳିପାରନ୍ତା ସଠିକ ମାର୍ଗଦର୍ଶନ ।