
ଭୁବନେଶ୍ୱର: ବର୍ଜ୍ୟବସ୍ତୁରୁ ତିଆରି ହେଲା ସୁନ୍ଦର ସୁନ୍ଦର ମୂର୍ତ୍ତି । ଦିନେ ଯେଉଁ ସବୁ ଜିନିଷ ଫୋପଡ଼ା ଯାଉଥିଲା କିମ୍ବା ପଡ଼ି ପଡ଼ି ନଷ୍ଟ ହେଉଥିଲା ତାହା ଆଜି ସୌନ୍ଦର୍ଯ୍ୟକରଣ କାମରେ ଲାଗିଛି । ଇଷ୍ଟ୍ କୋଷ୍ଟ ରେଲ୍ଓ୍ୱେ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି । ରେଲ୍ଓ୍ୱେର କିଛି ଷ୍ଟାଫ୍ ନିଜେ ପରିଶ୍ରମ କରି ରେଳ ବିଭାଗରୁ ବହାରୁଥିବା ବର୍ଜ୍ୟବସ୍ତୁ ଯଥା, ପୁରୁଣା ଆକ୍ସିଲ, ଚେନ୍, ନଟ୍, ବୋଲ୍ଟ ଆଦିକୁ ଏକାଠି କରି ତିଆରି କରିଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ଆଉ ଏହି ସୁନ୍ଦର ମୂର୍ତ୍ତିକୁ ବିଭାଗ ପକ୍ଷରୁ କାର୍ଯ୍ୟାଳୟର ପ୍ରବେଶ ଦ୍ୱାର ନିକଟରେ ଛିଡ଼ା କରାଯାଇଛି । ଏହି ମୂର୍ତ୍ତି ଗୁଡ଼ିକ ବର୍ଜ୍ୟବସ୍ତୁରୁ ତିଆରି ହୋଇଥିଲେ ମଧ୍ୟ ଅନେକ ଶୋଭା ବର୍ଦ୍ଧନ କରୁଛି ।

ଆଗକୁ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଇଷ୍ଟ କୋଷ୍ଟ ରେଲ୍ଓ୍ୱେର ଜଣେ ବରିଷ୍ଠ ଅଧିକାରୀ । ସେ କହିଛନ୍ତି ଗୋଟିଏ ମୂର୍ତ୍ତି ତିଆରିରେ ମାତ୍ର 50 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି କେବଳ ଲେବର କଷ୍ଟ କହିଲେ ଚଳେ । କାରଣ ମ୍ୟାଟେରିଆଲ ଯାହା ବି ଲାଗିଛି ତାହା ରେଲ୍ଓ୍ୱେ ବିଭାଗର ଓ୍ୱେଷ୍ଟଜ୍ ଥିଲା । କେବଳ ମୂର୍ତ୍ତି ତିଆରି କରିବା ପାଇଁ ଓ୍ୱେଲ୍ଡିଂ କିମ୍ବା ଅନ୍ୟ କିଛି ଛୋଟ ମୋଟ ଖର୍ଚ୍ଚ କରାଯାଇଛି ।

ତେବେ ଆଗକୁ ଏହି ପ୍ରୟାସ ଜାରି ରହିବ ବୋଲି ସେ କହିଛନ୍ତି । ଏହା ସହ ଅଧିକ ମୂର୍ତ୍ତି ତିଆରି କରାଗଲେ କାର୍ଯ୍ୟାଳୟର ଅନ୍ୟ ଗେଟ୍ରେ ମଧ୍ୟ ଛିଡ଼ା କରାଯିବ । ଏହାପରେ ଭୁବନେଶ୍ୱର, ପୁରୀ, କଟକ ଭଳି ବଡ଼ ବଡ଼ ଷ୍ଟେସନ ସମ୍ମୁଖରେ ମଧ୍ୟ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯିବ ।


