ଗାଁରେ ନିର୍ଦ୍ଦିଷ୍ଟ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କାର୍ଯ୍ୟକ୍ରମ କରାଯାଇଥିଲା। । ଗାଁର ସ୍କୁଲ ଘରକୁ ଗାଁର ସମସ୍ତ ଭୋଟରଙ୍କୁ ଡକାଇ କାର୍ଯ୍ୟକ୍ରମ କରାଯାଉଥିଲା । ତେବେ କିଛି ଗ୍ରାମବାସୀ ଏହାକୁ ବିରୋଧ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସୁଥିବା ଜାଣି ଛତ୍ରଭଙ୍ଗ ଦେଇଥିଲେ ସମସ୍ତେ । ପରବର୍ତ୍ତୀ ସମୟରେ ରାତି ୧୨ଟାରୁ ୨ଟା ମଧ୍ୟରେ ୨୦ରୁ ୨୨ ଜଣ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ଘର ଘର ବୁଲିଥିଲେ ।
ହାତରେ ଦୀପ ଧରି ପ୍ରତ୍ୟେକ ଘରେ ଲୋକଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏପରିକି ଘରର ମହିଳା ମାନଙ୍କୁ ମଧ୍ୟ ଏଥିରୁ ବାଦ ଦିଆଯାଇନଥିଲା । ରାତି ଅଧରେ ମାଛ ଚିହ୍ନରେ ଛିଡ଼ା ହୋଇଥିବା ସରପଞ୍ଚ ପ୍ରାର୍ଥୀ ସମରେନ୍ଦ୍ର ପ୍ରଧାନ, ଷ୍ଟୁଲ ଚିହ୍ନରେ ଛିଡ଼ା ହୋଇଥିବା ସମିତି ସଭ୍ୟ ପ୍ରାର୍ଥୀ ସୁରେନ୍ଦ୍ର ଭୋଇ ଓ ନିକିତି ଚିହ୍ନରେ ଛିଡ଼ା ହୋଇଥିବା ୱାର୍ଡ ମେମ୍ବର ପ୍ରାର୍ଥୀ ଶଙ୍କର ମହାକୁଡ଼ଙ୍କୁ ଭୋଟ ଦେବାକୁ ଦୀପ ଛୁଇଁ ଶପଥ କରିବାକୁ ବାଧ୍ୟ ହୋଇଥିଲେ ସମସ୍ତେ ।
ଏହି ସମୟରେ ଭୋଟ ପିଛା ୭୦୦ ଟଙ୍କା ମଧ୍ୟ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ରାତିରେ ଅନୁପସ୍ଥିତ ଥିବା ଜଣେ ଦୋକାନୀ ମାନସ ପାଢ଼ୀଙ୍କ ପାଖରେ ଆଜି ପହଞ୍ଚିଥିଲେ ଉକ୍ତ ପ୍ରାର୍ଥୀମାନଙ୍କ ସମର୍ଥକ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ଶଙ୍କର ମହାକୂଡ଼ । ସାଥୀରେ ଗୀତା ମଧ୍ୟ ଆଣିଥିଲେ । ଗୀତା ଛୁଇଁ ଦୋକାନୀଙ୍କୁ ଭୋଟ ଦେବାକୁ ଶପଥ କର ବୋଲି ଧମକ ଦେଇଥିଲେ । ମାନସ ଏହାକୁ ବିରୋଧ କରିବାରୁ ତାଙ୍କ ଦୋକାନ ଜୋର ଜବରଦସ୍ତ ବନ୍ଦ କରାଯାଇଛି । ଏନେଇ ମାନସ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।