ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ କୁଳଡ଼ିହାର ହାତୀ ଆକ୍ରମଣରେ ଯାଇଛି ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗ୍ରାମର ଯୁବକ ଶ୍ୟାମସୁନ୍ଦର ସିଂଙ୍କ ଜୀବନ । ହାଟରୁ ଘରକୁ ଫେରିବା ବେଳେ ହାତୀଟି ଶ୍ୟାମ ସୁନ୍ଦରକୁ ଦଳି ଦେଇଥିବା ଜଣାପଡିଛି। ଜଙ୍ଗଲ ସହ ହାତୀର ବାସସ୍ଥଳ ନଷ୍ଟ ଯୋଗୁଁ ବାରମ୍ବାର ଗାଁ ମୁହାଁ ହେଉଛନ୍ତି ହାତୀ। ବାରମ୍ବାର ହାତୀ ଗାଁ ମୁହାଁ ହେଉଥିବା ଅଭିଯୋଗ ପରେ ବି ବନ ବିଭାଗର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
ହାତୀ ଜନ ବସତୀ ମୁହାଁ ହେଉଥିବା ଗାଁରେ ଲୋକଙ୍କ ମୋବାଇଲକୁ ମେସେଜ ପଠାଇବ ବନ ବିଭାଗ। ଆପ ମାଧ୍ୟମରେ ହାତୀ ଲୋକେସନ ଟ୍ରେସ ହେବା ପରେ ୫କିମି ପରିଧୀ ମଧ୍ୟରେ ଥିବା ଲୋକଙ୍କୁ ଆଲର୍ଟ କରାଯିବ। ରେଡିଓ ମାଧ୍ୟମରେ ସନ୍ଧ୍ୟା ବୁଲେଟିନରେ ଲୋକଙ୍କୁ ସଚେତନ କରାଯାଉଛି। ହାତୀ ଆସିଲେ ଇଲେକ୍ଟ୍ରି ପୋଲ ଉପରେ ଜଳିବ ରେଡ ଲାଇଟ। ଏହା ଛଡା ଗଜବନ୍ଧୁ ଭଳି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ହାତୀ ମଣିଷ ଲଢ଼େଇରେ ରୋକ ନ ଲାଗିବା ବନ ବିଭାଗକୁ କାଠଗଡାକୁ ଟାଣିଛି।
ଏନଜିଟି ତଥ୍ୟ ଅନୁସାରେ ରାଜ୍ୟରେ ଖଣି ଖନନ ଯୋଗୁଁ ହାତୀ ଚଲାପଥ ନଷ୍ଟ ହେଉଛି। ରାଜ୍ୟରେ ଥିବା ୧୪ଟି କରିଡର ମଧ୍ୟରୁ ୯ ଟି କରିଡରରେ ପ୍ରବଳ ସମସ୍ୟା ଥିବା କୁହାଯାଇଛି। ବଡ କଥା ହେଉଛି ୭ଟି କରିଡରର ଜୈବ ବିବିଧତା ନଷ୍ଟ ହୋଇଛି। ଯେଉଁଥିପାଇଁ ୧୪ ହାତୀ କରିଡର ପାଇଁ ବିଜ୍ଞପ୍ତି ଜାରି କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ଏହାରି ଭିତରେ ହାତୀ ମଣିଷ ଲଢ଼େଇରେ ହାତୀ ଆକ୍ରମଣରେ ୨୦୧୧ ରୁ ୨୦୨୦ ମଧ୍ୟରେ ୭୧୫ ଜଣଙ୍କ ମୃତ୍ୟୁ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି।