
ଅନୁଗୁଳ: ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଏଥର ଖାଦ୍ୟ ଉଦ୍ଧେଶ୍ୟରେ ଆସିଥିବା ହାତୀ ଘରେ ପଶି ମଣିଷ ମାରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାବନ୍ଧ ମାଟିଆ ସାହିରେ । ଘରେ ଶୋଇଥିବାବେଳେ ସ୍ଵାମୀ-ସ୍ତ୍ରୀଙ୍କୁ ଦନ୍ତା ଆକ୍ରମଣ କରିଛି । ଏଥିରେ ସ୍ତ୍ରୀ ସଜନୀ ପ୍ରଧାନ ଓ ସ୍ଵାମୀ ଭରତ ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ ।
ସେମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସ୍ତ୍ରୀ ସଜନୀ ପ୍ରଧାନଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଭରତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନେକ ସମୟରେ ଜଙ୍ଗଲୀ ହାତୀ ଜନବସତି ମୁହାଁ ହେଉଥିବାରୁ ଅନେକ ସମୟରେ ଧନ ଜୀବନ ନଷ୍ଟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛି। ତେବେ ବାରମ୍ୱାର ହାତୀପଲ ଏଭଳି ଭାବେ ଗାଁ ମୁହାଁ ହୋଇ ଧନଜୀବନ ନଷ୍ଟ କରୁଥିବା ଖବର ସାମ୍ନାକୁ ଆସୁଛି ।
