ଭୁବନେଶ୍ୱର: ରାଜ୍ୟରେ କୋରୋନା ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି । ପ୍ରତିଦିନ 100 ଜଣଙ୍କ ବଦଳରେ 200 ଜଣଙ୍କୁ ଦିଆଯିବ ଟିକା । ଏନେଇ 5 ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ସେହିପରି ଗତକାଲି ରାଜ୍ୟରେ 85 ପ୍ରତିଶତ ହୋଇଛି ଟୀକାକରଣ ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ । ଏହି ସବୁ ସ୍ଥାନରେ 200 ଜଣଙ୍କୁ ଟୀକାକରଣ କରାଯିବ। ଏହି ଟିକାକରଣରେ 5 ଜଣ ବଦଳରେ 6 ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ। କିନ୍ତୁ ପିଏଚସି ଓ ସିଏଚସି ଟୀକା କରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେହିପରି ଗତକାଲି ସୁରୁଖୁରୁରେ ହୋଇଛି ଟିକାକରଣ କାର୍ଯ୍ୟ । ରାଜ୍ୟରେ 13 ହଜାର 980 ଲୋକଙ୍କୁ ଟୀକା ଦିଆଯାଇଛି । 85 ପ୍ରତିଶତ ଟୀକାକରଣ ହୋଇଛି । 6 ଟି ଜିଲ୍ଲାରେ 100 ପ୍ରତିଶତ ଟିକାକରଣ ହୋଇଛି । ଅନ୍ୟପଟେ, ଟିକା ନେବା ପରେ ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଛି ।
ନର୍ଭସନେସ ପାଇଁ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥିବା ଜଣାପଡ଼ିଛି । ଏହାସହ ଟିକା ନେଇଥିବା ସମସ୍ତ ଲୋକଙ୍କ ଉପରେ ନଜର ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ତେବେ ବର୍ତ୍ତମାନ କୋରୋନା ଯୁଦ୍ଧରେ ଆରମ୍ଭ ହୋଇଛି ଅନ୍ତିମ ଲଢେଇ । ଯାହାର ଅପେକ୍ଷା ସମସ୍ତଙ୍କୁ ରହିଥିଲା ।