ଜଳଘେର ଅଞ୍ଚଳ ଦେଇ ଛୁଟିଛି ବୁଲେଟ । କୃଷକ ଘରର ବୋହୁ ମୋନାଲିସା ମାଙ୍କଡ଼କୁ ଗାଡ଼ିରେ ବସାଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଛନ୍ତି । ମୋନାଲିସାଙ୍କ ନିକଟରେ ମାଙ୍କଡଟି ତାର ମାଙ୍କଡ଼ାମି ଭୁଲି ମଣିଷ ଶିଶୁଟିଏ ପରି ବୋଲ ମାନି ବସିଛି । କିଛି ବାଟ ଯିବାପରେ ସାମ୍ନାକୁ ଆସିଯାଇଥିବା ମାଙ୍କଡ଼ ପିଲାଙ୍କୁ ବାଦାମ ଖୁଆଉଛନ୍ତି ମୋନାଲିସା । ଏହି ଦୃଶ୍ୟକୁ ଟିକେ ଭଲ କରି ଦେଖନ୍ତୁ । ମାଙ୍କଡ଼ ପ୍ରତି ଗ୍ରାମୀଣ ଯାଜପୁରର ଗୃହିଣୀ ମୋନାଲିସାଙ୍କର ବାତ୍ସଲ୍ୟ ମମତା କେତେ ନିବିଡ ଆଉ ଗଭୀର ଦେଖିଲେ ଆପଣଙ୍କ ମନ ବି ଚହଲି ଉଠିବ । ପିଲାଙ୍କ ପାଇଁ ହାତରେ ଖାଦ୍ୟ ଧରି ମା ଯେପରି ଅପେକ୍ଷା କରି ରହିଥାଏ ଏଠି ସେପରି ଅପେକ୍ଷା କରିଛନ୍ତି ମୋନାଲିସା । ମାଙ୍କଡ଼ ବି ବୁଝିପାରିଛି ମାଆର ମମତା । ଦୌଡ଼ି ଦୌଡ଼ି ସିଧା ଆସି କୋଳରେ ହାଜର । ମାଙ୍କଡ଼ ପ୍ରତି ପତ୍ନୀଙ୍କ ଏଭଳି ମମତା ପ୍ରଥମ ଥର ଯେବେ ଦେଖିଲି ଟିକେ ନିଆରା ଲାଗିଲା । ଏହାକୁ ଭିଡିଓ କରି ୟୁଟ୍ୟୁବ ରେ ଅପଲୋଡ଼ କଲି । ସେଦିନ ଠାରୁ କୋଟି କୋଟି ଲୋକ ଆମ ଭିଡିଓକୁ ଅପେକ୍ଷା କରିଥାନ୍ତି ବୋଲି କହନ୍ତି ମୋନାଲିସାଙ୍କ ସ୍ୱାମୀ ବଦ୍ରି ନାରାୟଣ ।
ଯାଜପୁର ଜିଲ୍ଲା ବେରୁଦା ପଂଚାୟତ ଅନ୍ତର୍ଗତ ଜହଳ ଗ୍ରାମର ଚାଷୀ ଘରର ବୋହୁ ମୋନାଲିସା ଘୋଡାରେ ସବାର ହୋଇ ଯେତେବେଳେ ଗାଁ ପରିକ୍ରମା କରନ୍ତି ଅନେକ ଅବାକ ରହି ଯାଆନ୍ତି। ଏବେ ମହିଳାଙ୍କୁ ଆଉ ନିଜକୁ ଘର କୋଣରେ ନିଜକୁ ସୀମିତ ରଖୁନି । ମୋ ବୋହୁ ଜଣେ ଭଲ ବୋହୁ । ମୋର ଯତ୍ନ ନେବା ସହିତ ୧୦ ଚକିଆ ଟ୍ରକ, ଟ୍ରାକ୍ଟର ଓ ବସ ଚଳାଇବା ସହିତ ଘୋଡା ଚଢି ପାରୁଛି ବୋଲି ତାଙ୍କ ଶାଶୁ କହିଥିବା ବେଳେ ତାଙ୍କ ଶ୍ୱଶୁର କହିଥିଲେ ଏଭଳି ବୋହୁ ଟିଭିରୁ ଦେଖୁଥିଲୁ ଏବେ ସାମ୍ନାରେ ଦେଖି ଆମେ ଗର୍ବିତ । ମୋନାଲିସା ରାଜଧାନୀର ରାଜପଥରେ ଭଲଭୋ ବସ ଚଳାଇ ନାରୀ ଯେ ସବୁକିଛି କରିପାରେ ଏହି ବାର୍ତ୍ତା ଦେଇଥିଲେ । ଏହାର ଭିଡିଓକୁ ଦର୍ଶକୀୟ ସ୍ବୀକୃତ୍ତି ମିଳିଥିଲା । ମୋନାଲିସା କହନ୍ତି ଆମେ ନୂଆ ନୂଆ ପ୍ରସଙ୍ଗକୁ ନେଇ ଭିଡିଓ କରୁଥିବାରୁ ଦର୍ଶକଙ୍କ ଭଲପାଇବା ମିଳିଛି । ଆଗାମୀ ଦିନରେ ହେଲିକେପ୍ଟରରେ ଉଡାଣ ଭରିବାର ସ୍ବପ୍ନ ଦେଖୁଥିବା ମୋନାଲିସା କହନ୍ତି ଭୟମୁକ୍ତ ଓ ଆତ୍ମବିଶ୍ୱାସ ଯୁକ୍ତ ହୋଇପାରିଲେ ନାରୀ ସବୁ କାମ କରିପାରିବ । ଗ୍ରାମୀଣ ଚାଷୀ ଘରର ଏହି ବୋହୁ ପଶୁପକ୍ଷୀ ମାନଙ୍କ ଭଲପାଇବା ସହିତ ନିଜର ଅଦମ୍ୟ ସାହସ ପ୍ରଦର୍ଶିତ କରି ମହିଳା ସଶକ୍ତିକରଣର ଏକ ଉଦାହରଣ ହୋଇପାରିଛନ୍ତି ।