ଏ ହେଉଛନ୍ତି ବରଗଡ଼ ଜିଲ୍ଲା ନାଇକେନପାଲି ଗାଁ ର ଚାଷୀ ଆଦେପଲି ଗାନ୍ଧୀ । ଟାମ୍ପରସରା ପ୍ୟାକ୍ସରେ ଗତ 2019-20 ରବି ସିଜନରେ 400 କ୍ୱିଣ୍ଟାଲ ଧାନ ବିକିଲେ କିନ୍ତୁ ତାଙ୍କର ପ୍ରାପ୍ୟ 7 ଲକ୍ଷ 44 ହଜାର 372 ଟଙ୍କା ପାଇଲେ ନାହିଁ ।
କେବଳ ଆଦେପଲି ଗାନ୍ଧୀ ନୁହନ୍ତି ବରଗଡ଼ ଜିଲ୍ଲା ଅତାବିରା ଏବଂ ଟାମ୍ପରସରା ପ୍ୟାକ୍ସରେ ଆହୁରି 6 ଜଣ ଚାଷୀ 2019-20 ରବି ସିଜନ ରେ ମୋଟ 1200 କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ବିକ୍ରି କରିଥିଲେ ମଧ୍ୟ ପାଉଣା ପାଇ ନାହାନ୍ତି । ଧାନ ବିକ୍ରି କରିବାର 3 ବର୍ଷ ଛୁଇଁବାକୁ ବସିଲାଣୀ କିନ୍ତୁ ଚାଷୀମାନେ ସେମାନଙ୍କ ବହୁ କଷ୍ଟ ଏବଂ ଖର୍ଚ୍ଚରେ ଉପାର୍ଜନ କରିଥିବା ଧାନର ପ୍ରାପ୍ୟ ପାଇ ନାହାନ୍ତି । ଧାନ ବିକ୍ରୀର ୨୪ ଘଣ୍ଟା ମଧ୍ୟରେ ଚାଷୀକୁ ପ୍ରାପ୍ୟ ପ୍ରଦାନ କରିବା ପାଇଁ ଥିବା ସରକାରୀ ନିୟମ କୁଆଡେ ହଜିଗଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ।
ବିଭିନ୍ନ ସମୟରେ ସରକାରୀ ଦପ୍ତରରେ ଅଭିଯୋଗ କରିଛନ୍ତି ଚାଷୀ । ହେଲେ ନା ଶୁଣିଛନ୍ତି ଜିଲ୍ଲାପାଳ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମଧ୍ୟ ଲିଖିତ ଭାବେ ଅଭିଯୋଗ କଲେ କୌଣସି ସୁଫଳ ମିଳିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ଖାଦ୍ୟ ନୀତି ଅନୁସାରେ ଚାଷୀଙ୍କଠାରୁ ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ ହେବ। ପ୍ୟାକ୍ସରୁ ଧାନ ମିଲର୍ସଙ୍କ ନିକଟକୁ ଯିବ ଏବଂ ସେହି ଅନୁପାତରେ ଚାଉଳ ଦାଖଲ କରିବ । ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଏବଂ ଧାନ ବିକ୍ରୀ କରିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟରେ ପ୍ରାପ୍ୟ ପ୍ରଦାନ କରାଯିବ ସେନେଇ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଏହାର ଓଲଟା ଚିତ୍ର କାହିଁକି ।
ଆଉ ଏ ଅବ୍ୟବସ୍ଥା ଦେଖିପାରୁଛନ୍ତି ତ ସରକାର । ଆଉ ଦେଖିପାରୁଛନ୍ତି ତ ବିଜେଡିର କୁହାଳିଆ ନେତାମାନେ । ଗୋଟିଏ ପଟେ ଏମଏସପି 2930 ଟଙ୍କା ଦାବି କରାଯାଉଥିବା ବେଳେ ବାସ୍ତବରେ ଗ୍ରାଉଣ୍ଡର ସ୍ଥିତି କଣ ତାହା ଏଥିରୁ ସ୍ପଷ୍ଟ ହେଉଛି । ସେପଟେ ଏମଏସପିକୁ ନେଇ ବିଜେଡିରେ ଭିନ୍ନମତ । ଆଉ ପଦାରେ ପଡିଯାଇଛି ଚାଷୀଙ୍କ ପାଇଁ ବିଜେଡିର ରାଜନୀତି ସହ କୁମ୍ଭୀର କାନ୍ଦଣା । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୋଟିଏ କଥା କହୁଛନ୍ତି ଆଉ ଦଳର ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଆଉ ଗୋଟିଏ କଥା କହୁଛନ୍ତି । ଯାହାକୁ ସମାଲୋଚନା କରିଛନ୍ତି ବିରୋଧୀ ।
ସାରା ରାଜ୍ୟରେ ମଣ୍ଡିର ଅବ୍ୟବସ୍ଥା । ମଣ୍ଡିରେ କଟନୀ ଛଟନୀ । ସରକାର ଧାର୍ଯ୍ୟ କରିଥିବା ଏମଏସପି ପାଉନାହାନ୍ତି ଚାଷୀ । ରାଜ୍ୟରେ ମଣ୍ଡିରେ ଗଜା ହେଉଛି ଧାନ । ଧାନର ହେଉଛି କଳାବଜାରୀ । ସେପଟେ ଧାନର କୁଇଣ୍ଟାଲ ପ୍ରତି ବୋନସ ଦେବାପାଇଁ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କୁଆଡେ ଗଲା ତାହାକୁ ନେଉ ଉଠିଛି ପ୍ରଶ୍ନ ।