ପ୍ରୋଫାଇଲ ପିକ୍ ଦେଖି ଫିଦା ହେଉଥିବା ୮୦ ପ୍ରତିଶତ ଯୁବକଙ୍କ ଭିତରରୁ କିଛି ପୂରା ଉତ୍ସାହିତ । ଆଦ୍ୟାଶା ଓରଫ ଆମ ଫୋସବୁକ୍ କୁଇନ୍ ଯାହା ମାଗନ୍ତି, ତାହା ସେମାନେ ହାତ ଖୋଲି ଦିଅନ୍ତି । କିନ୍ତୁ ୟାଙ୍କ ଦିଆ ଭିତରେ ପାଇବାର ଥାଏ ପ୍ରବଳ ଆକାକ୍ଷାଂ । ଯେତେବେଳେ ତାହା ପ୍ରାପ୍ତ ହୁଏନାହିଁ, ସେତେବେଳେ ବଢାହୁଏ ଅଭିଯୋଗ । ଏଣ୍ଟ୍ରି କରେ ପୁଲିସ୍।
ଆଉ ଏଥର ସେମିତି କିଛି ଅଭିଯୋଗ ବଢାହେବା ପରେ ଧରା ପଡିଛନ୍ତି ଫୋସବୁକ୍ କୁଇନ୍ । ଆଦ୍ୟାଶା ସାମନ୍ତରା ନାଁରେ ଖେଳୁଥିବା ଏ ସୁନ୍ଦରୀ ଯୁବତୀଙ୍କ ଅସଲ ନାଁ ପ୍ରିୟଙ୍କା ପ୍ରିୟ ଦର୍ଶନୀ ପରିଡା। ଘର ବି ଭୁବନେଶ୍ବର ନୁହେଁ ବାଣପୁରରେ।
କିନ୍ତୁ ଦେଇଙ୍କ ନାଁରେ ଅଭିଯୋଗର ଲମ୍ବା ଲିଷ୍ଟ। ତାଙ୍କର କୁଆଡେ ଅନେକ ଫେସବୁକ୍ ପ୍ରୋଫାଇଲ। ଯେଉଁଥିରେ ଭିନ୍ନ ଭିନ୍ନ ଢଙ୍ଗରେ ଯୁବକଙ୍କୁ ଆକର୍ଷିତ କଲାଭଳି ଫଟୋ ସବୁ ଡିପିରେ ସୋ କରୁଛି । ଆଉ ଏହାକୁ ଆଳ କରି ଦେଇ ନେଇ ଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଗୌର ଚନ୍ଦିକା ଛାଡି ଆସନ୍ତୁ, ପୂରା ଘଟଣାକୁ ଯିବା।
ପ୍ରିୟଙ୍କା ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ରେ ଅନେକ ନକଲି ଆକାଉଣ୍ଟ ଖୋଲିଥିଲେ । ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଲଗାଇ ଭିନ୍ନ ଭିନ୍ନ ନାଁ ବି ରଖୁଥିଲେ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ଆଇଟି ପ୍ରଫେସ୍ନାଲ୍ କହି ଯୁବକଙ୍କୁ ପ୍ରେମ ଜାଲରେ ଫଶାଉଥିଲେ । ତାଙ୍କ ପ୍ରେମ ଜାଲରେ ଇତି ମଧ୍ୟରେ ୧୦ରୁ ଅଧିକ ଯୁବକ ପଡ଼ିଛନ୍ତି । ଯାହାଙ୍କଠାରୁ ପ୍ରିୟଙ୍କା ବିଭିନ୍ନ ଆଳରେ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି। ଟଙ୍କା ପାଇବା ପରେ ପ୍ରିୟଙ୍କା ନିଜର ସେହି ଆକାଉଣ୍ଟ ବନ୍ଦ କରି ଦିଅନ୍ତି। ଫଳରେ ଟଙ୍କା ଦେଇ ହତାସ୍ ହୋଇପଡିଥିବା ବିଚରା ପ୍ରେମିକ ନାଁ ଫୋନ୍ କଲ ପାଏ, ନାଁ ଭିଡିଓ କଲ୍।
କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ । ନିକଟରେ ପ୍ରିୟଙ୍କାଙ୍କ ପ୍ରେମ ଜାଲରେ ପଡିଥିବା ଜଣେ ଚତୁର ପ୍ରେମିକ ସନ୍ଦେହ କରିବାରୁ ଘଟଣାର ପର୍ଦ୍ଦାଫାଶ ହୋଇଛି । ବାସ୍ତବରେ ପ୍ରିୟଙ୍କା ଯୁବକ ଜଣଙ୍କୁ ଡାକ୍ତରାଣୀର ପରିଚୟ ଦେଇ ପ୍ରେମ କରୁଥିଲେ । ବାବୁ ମଧ୍ୟ ଡାକ୍ତର ପ୍ରେମିକା ପାଇଁ ଖୁସିରେ ୬ ଲକ୍ଷ ସ୍ୱାହା କଲେ । ହେଲେ ୬ ଲକ୍ଷ ଟଙ୍କାର ଟେନସନ୍ ତାଙ୍କୁ ଶୁଆଇ ଦେଲାନି। ପୁଲିସ ପାଖରେ ଗୁହାରୀ କରିବାରୁ ତଥାକଥିତ ଡାକ୍ତରାଣୀ ପ୍ରେମିକାର ସତ ପଦାକୁ ଆସିଛି ।
ହେଲେ ଏଠି ଖାଲି ଫେସବୁକ୍ କୁଇନ୍ ପଛରେ ପଡିଲେ ଠିକ ହେବନି । ସେଇମାନଙ୍କ ପାଇଁ ବି ହସିବାକୁ ପଡିବ ଯେଉଁମାନେ ଫେସବୁକ ପ୍ରେମିକାମାନଙ୍କ ପ୍ରେମ ଜାଲରେ ପଡନ୍ତି ।