2001ରେ ଓଡ଼ିଶାର GSDP ଥିଲା 46 ହଜାର 756 କୋଟି ଟଙ୍କା ଅନ୍ୟପକ୍ଷରେ ଗୁଜରାଟର GSDP ଥିଲା 1ଲକ୍ଷ 7 ହଜାର 605 କୋଟି ଟଙ୍କା। ସେହି ସମୟରେ ଓଡ଼ିଶାର ଅଭିବୃଦ୍ଧି ହାର -2 ପ୍ରତିଶତ ଥିବା ବେଳେ ଗୁଜରାଟ ଥିଲା -5 ପ୍ରତିଶତ। ଓଡ଼ିଶାର ମୁଣ୍ଡପିଛା ଆୟ ଥିଲା 7ହଜାର 7ଶହ ଟଙ୍କା। ଯେତେବେଳେ ଗୁଜରାଟର ମୁଣ୍ତପିଛା ଆୟ 12 ହଜାର 975 ଟଙ୍କା ରହିଥିଲା। ତେବେ 2023-24 ଆର୍ଥିତ ବର୍ଷରେ ଓଡ଼ିଶାର GSDP 8 ଲକ୍ଷ 65 ହଜାର କୋଟିରେ ପହଞ୍ଚିଥିବା ବେଳେ ଗୁଜରାଟର GSDP ପହଞ୍ଚିଛି 25ଲକ୍ଷ 62 ହଜାର କୋଟି ଟଙ୍କାରେ। ଓଡ଼ିଶାର ଅଭିବୃଦ୍ଧି ହାର ବର୍ତ୍ତମାନ 7.8 ପ୍ରତିଶତ ଏବଂ ଗୁଜରାଟର ଅଭିବୃଦ୍ଧି ହାର 13.3 ପ୍ରତିଶତ। 23 ବର୍ଷ ପରେ ଓଡ଼ିଶାର ମୁଣ୍ଡପିଛା ଆୟ 1ଲକ୍ଷ 50 ହଜାର 676। ଯେତେବେଳେ କି ଗୁଜରାଟର ମୁଣ୍ଡପିଛା ଆୟ 2ଲକ୍ଷ 41 ହଜାର 507 ଟଙ୍କା।
ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତଥ୍ୟ ସ୍ପଷ୍ଟ ପ୍ରମାଣିତ କରୁଛି 23 ବର୍ଷର ବିକାଶ ଯାତ୍ରାରେ ଓଡ଼ିଶା ଗୁଜରାଟ ତୁଳନାରେ ଢେର ପଛରେ ରହିଯାଇଛି। ଗୁଜରାଟ କଥା ଛାଡ଼ନ୍ତୁ ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠୁବି ପଛରେ ଅଛି । ଓଡ଼ିଶାର ମୁଣ୍ଡ ପିଛା ରୋଜଗାର 1 ଲକ୍ଷ 50 ହଜାର ଟଙ୍କା ହୋଇଥିବା ବେଳେ ଜାତୀୟ ମୁଣ୍ଡ ପିଛା ହାର 1ଲକ୍ଷ 70 ହଜାର ଟଙ୍କା। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ମୁଣ୍ଡ ପିଛା ଆୟରେ ଓଡ଼ିଶା ରହିଛି 22 ତମ ସ୍ଥାନରେ। ଏପରିକି ଛୋଟ ପାହାଡ଼ିଆ ରାଜ୍ୟ ତ୍ରିପୁରା, ହିମାଚଳ ପ୍ରଦେଶ , ସିକ୍କିମ୍, ଗୋଆ, ମିଜୋରାମ୍, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଓ ଅରୁଣାଚଳ ପ୍ରଦେଶ ବି ଏ କ୍ଷେତ୍ରରେ ଓଡ଼ିଶାଠାରୁ ଢେର ଆଗରେ। ଏପରିକି ଓଡ଼ିଶା ଭିତରେ ବି ମୁଣ୍ଡ ପିଛା ଆୟ କ୍ଷେତ୍ରରେ ବ୍ୟାପକ ଅସମାନତା ରହିଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ଓଡ଼ିଶାର ବହୁମୁଖୀ ଦାରିଦ୍ର୍ୟ ହାର 15.68 ପ୍ରତିଶତ। ଯାହାକି ଜାତୀୟ ହାର 14.96 ପ୍ରିତଶତରୁ ଉପରେ।
2011-12 ଜନସଂଖ୍ୟା ଆଧାରରେ ଓଡ଼ିଶାର ଦାରିଦ୍ର୍ୟ ହାର 36 ପ୍ରତିଶତ ରହିଥିଲା। ତେବେ ଜାତି ଆଧାରରେ ଯଦି ବିଚାର କରିଯାଏ ଏଥିରେ ଅନେକ ଅସମାନତା ରହିଛି। ଆଦିବାସୀ ବା ଅନୁସୂଚିତ ଜନଜାତିଙ୍କ ଦାରିଦ୍ର୍ୟ ହାର ସର୍ବାଧିକ 64 ପ୍ରତିଶତ ରହିଥିବା ବେଳେ ଅନୁସୂଚିତ ଜାତିଙ୍କ କ୍ଷେତ୍ରରେ ଏହା 41.39 ପ୍ରତିଶତ ସେହିପରି ଓବିସିଙ୍କ ଦାରିଦ୍ର୍ୟ ହାର 24 ପ୍ରତିଶତ। ଅନ୍ୟ ପକ୍ଷରେ ସାଧରଣ ବର୍ଗଙ୍କ ମଧ୍ୟରେ ଦାରିଦ୍ର୍ୟ ହାର ମାତ୍ର 14 ପ୍ରତିଶତ ରହିଛି ।
ସେହିପରି ଓଡ଼ିଶାରେ ଆଞ୍ଚଳିକ ସ୍ତରରେବି ବି ଦାରିଦ୍ର୍ୟ ଅସମାନତା ବ୍ୟାପକ ରହିଛି। ଦକ୍ଷିଣ ଓଡ଼ିଶାରେ ଏହା 48 ପ୍ରତିଶତ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହା 40 ପ୍ରତିଶତ। ଅର୍ଥାତ ଓଡ଼ିଶାର ଏହି ଦୁଇ ଭାଗରେ ଦାରିଦ୍ର୍ୟ ହାର ରାଜ୍ୟର ହାରାହାରି ଦାରିଦ୍ର୍ୟ ହାରଠାରୁ ଉପରେ ରହିଛି। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବହୁ ସଂଖ୍ୟାରେ ଆଦିବାସୀ ବସବାସ କରୁଛନ୍ତି। ଓଡ଼ିଶାର ବିକାଶରେ ସେମାନେ କେତେ ଉପେକ୍ଷିତ ଏହି ତଥ୍ୟ ତାହା ପ୍ରମାଣିତ କରୁଛି।ଓଡ଼ିଶାର ଜିଡିପି 2022-23 ଆର୍ଥିକ ବର୍ଷରେ ଥିଲା 8.65 ଲକ୍ଷ କୋଟି ଟଙ୍କା। ଏହି ବର୍ଷ ଦେଶରେ ଜିଡିପି ଦୃଷ୍ଟିରୁ 14 ତମ ସ୍ଥାନରେ ଥିଲା ଓଡ଼ିଶା । ଯେତେବେଳେ କି ଗୁଜରାଟ, ମହାରାଷ୍ଟ୍ର, ହରିଆଣା, ଉତ୍ତରାଖଣ୍ଡ ଓ ତେଲେଙ୍ଗାନା ଓଡ଼ିଶାଠାରୁ ଢେର ଆଗରେ ଥିଲେ।
କେନ୍ଦ୍ରରେ ମୋଦି ସରକାର ଆସିବା ପରେ ବିଭିନ୍ନ ଆର୍ଥିକ ସଂସ୍କାର ମୂଳକ ପଦକ୍ଷେପ ନେଇଥିଲେ। ଯାହାର ପରିଣାମ ସ୍ବରୂପ କର ଆବଣ୍ଟନଠାରୁ ଆର୍ଥିକ ଅନୁଦାନ ସବୁଥିରେ ଓଡ଼ିଶା ବହୁ ପରିମାଣରେ ଲାଭାନ୍ବିତ ହୋଇଛି। ଓଡ଼ିଶାର ରାଜସ୍ବ ବହୁଗୁଣ ବୃଦ୍ଧି ପାଇଛି। ଦ୍ବାଦଶ ଅର୍ଥ କମିଶନରେ ଓଡ଼ିଶାକୁ ମିଳିଥିଲା 69 ହଜାର 316 କୋଟି ଟଙ୍କା ଯେତେବେଳେ କି ପଞ୍ଚଦଶ ଅର୍ଥ କମିଶନରେ ଏହି ପରିମାଣ ପହଞ୍ଚିଛି 2ଲକ୍ଷ 20 ହଜାର କୋଟି ଟଙ୍କାରେ। କର କ୍ଷେତ୍ରରେ ସଂସ୍କାର ଯୋଗୁଁ 2014ରେ ବାର୍ଷିକ 12ହାଜାର 428 କୋଟି ଟଙ୍କାର କର ଓଡ଼ିଶାକୁ ମିଳୁଥିବା ବେଳେ ଏବେ ବାର୍ଷିକ 49 ହାଜର 442 କୋଟି ଟଙ୍କାର କର ମିଳୁଛି ଓଡ଼ିଶାକୁ। ସେହିପରି ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ମୋଦି ସରକାରଙ୍କ ଅମଳରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ମୋଦିଙ୍କ ଶାସନର ପୂର୍ବ 8 ବର୍ଷରେ ଓଡ଼ିଶାକୁ ରେଳ ଅନୁଦାନ ବାବଦକୁ ମିଳିଥିଲା ମୋଟ 5190 କୋଟି ଟଙ୍କା ।
ଅଥଚ ମୋଦିଙ୍କ ଶାସନର ପ୍ରଥମ 8 ବର୍ଷରେ ଓଡ଼ିଶାକୁ ମିଳିଛି ଏହାର 10 ଗୁଣରୁ ଅଧିକ ଅନୁଦାନ ଅର୍ଥାତ 56 ହାଜର 818କୋଟି ଟଙ୍କା। ସେହିପରି ମୋଦି ସରକାର ଶାସନକୁ ଆସିବା ପରେ ଖଣି ରୟାଲିଟି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଆୟ ପ୍ରାୟ 10 ଗୁଣ ବୃଦ୍ଧି ପାଇଛି । 2014ରେ ଓଡ଼ିଶାକୁ ଖଣି ରୟାଲିଟି ବାବଦକୁ 4ହଜାର 925 କୋଟି ଟଙ୍କା ମିଳିଥିବା ବେଳେ 2022 ବେଳକୁ ଏହା 49 ହଜାର 859 କୋଟିରେ ପହଞ୍ଚିଛି। ମୋଦି ସରକାର ପୂର୍ବରୁ ଜିଲ୍ଲା ଖଣିଜ ପାଣ୍ଠିର କୌଣସି ବ୍ୟବସ୍ଥାହିଁ ନଥିଲା। ତେବେ ମୋଦିଙ୍କ 9 ବର୍ଷର ଶାସନରେ ଏହି ବାବଦରେ ଓଡ଼ିଶାକୁ ମିଳିଛି 23 ହଜାର 120 କୋଟି ଟଙ୍କା। 2014ରେ ଓଡ଼ିଶାର GSDP ଥିଲା 2ଲକ୍ଷ 88 ହଜାର କୋଟି ଟଙ୍କା। କିନ୍ତୁ ମୋଦି ସରକାରଙ୍କ ଆର୍ଥିକ ସଂସ୍କରା ଓ ନୀତି ଯୋଗୁଁ ଏହା ଗତ 9 ବର୍ଷରେ ପ୍ରାୟ 3 ଗୁଣ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: