ଅଧୁନିକ ଓଡ଼ିଶାର ସହରାଞ୍ଚଳ ପ୍ରାନ୍ତୀୟ ୨ ଗ୍ରାମ। ପୁରୀ ଜିଲ୍ଲାର ହରିରାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ବୁଢାପଡା। ଏକଦା ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା। ନାଁ ଥିଲା ଗଣ୍ଡାରଣ୍ୟ। ଏହି ଗଣ୍ଡାରଣ୍ୟ ମଧ୍ୟରେ ଅନେକ ଗ୍ରାମପୁଞ୍ଜ ରହିଥିଲା। ଆଉ ଏ ସମସ୍ତ ଗ୍ରାମର ଆରାଧ୍ୟ ଥିଲେ ବୁଢାପଡାର ଶ୍ରୀ ସୋମନାଥ। ଯାହାକୁ ନାଁ ଭିତ୍ତିରେ କେହି କେହି ଚୁଡାଖିଆ ସୋମନାଥ ବୋଲି ବି କୁହନ୍ତି।
ଏହାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଏହି ବଣ ଭିତର ଦେଇ ଆସିଥାନ୍ତି। ଜଣେ ପରମ ଶିବଭକ୍ତ କୁଷ୍ଠରୋଗୀ ନିତ୍ୟ ପ୍ରଭୁ ସୋମନାଥଙ୍କ ଦର୍ଶନରେ ଆସୁଥିଲେ। କିନ୍ତୁ କ୍ଲାନ୍ତ ଆଉ ଅବଶର୍ଣ୍ଣ ଶରୀର ନେଇ ସେ ଦିନେ ଦର୍ଶନ କରିବାକୁ ଆସି ପାରିଲେ ନାହିଁ। ଜଙ୍ଗଲ ଭିତରେ ଭୋ ଭୋ କାନ୍ଦିବାକୁ ଲାଗିଲେ। କୃପାକଲେ ସୋମନାଥ। ଯେଉଁଠି ଭକ୍ତ ଜଣକ ବସି କାନ୍ଦୁଥିଲେ। ସେଇଠି ଠାକୁରେ ଉଭା ହେଲେ। ଲିଙ୍ଗ ସ୍ବରୂପକୁ ଦର୍ଶନ କରି କୁଷ୍ଠ ମୁକ୍ତ ହେଲେ ଭକ୍ତ। ଦିନ ବିତିବାକୁ ଲାଗିଲା।
ଇତିହାସରେ ଏହି ସମୟକୁ ପ୍ରତାପରୁଦ୍ର ଦେବଙ୍କ ସମୟ ବୋଲି କୁହାଯାଇଛି। ଗଜପତି ମହାରାଜଙ୍କ ସାମୟିକ ରହଣୀସ୍ଥଳ ଗଡ଼ ରଥିପୁର ମଧ୍ୟ ନିକଟରେ ରହିଛି। ଯେଉଁଠି ଗଜପତିଙ୍କ ପ୍ରତିନିଧି ଭାବେ ରଣସିଂହ ରହୁଥାନ୍ତି। ତାଙ୍କ ଗୋରୁମାନେ ଏକ ନିର୍ଦ୍ଧିଷ୍ଠ ଅଞ୍ଚଳକୁ ଚରିବାକୁ ଯାଆନ୍ତି। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋରୁ ପହ୍ନାରୁ ଆପେ ଦୁଗ୍ଧ ବୋହିଯାଏ। ଲୋକେ କିଛି ଅଲୌକିକତାର କଳ୍ପନା କରି ସେହି ସ୍ଥାନ ଖନନ କରନ୍ତି। ମାଟିତଳୁ ଆବିର୍ଭୂତ ହୁଅନ୍ତି ସ୍ବୟମ୍ବୁ ୫ଟି ଶିବଲିଙ୍ଗ।
ଦିବ୍ୟ ଶିବଲିଙ୍ଗ ସେହିଠାରେ ପ୍ରକଟ ହୁଅନ୍ତି ଯେଉଁଠି ଦିନେ କୁଷ୍ଠ ରୋଗାକ୍ରାନ୍ତ ଭକ୍ତଟି ସୋମନାଥଙ୍କୁ ଦର୍ଶନ କରିଥିଲା। କଥା ରଣସିଂହଙ୍କ କାନକୁ ଯାଏ। ଗଜପତି ପ୍ରତାପରୁଦ୍ର ଏ କଥା ଶ୍ରବଣ କରିବା ପରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଅନ୍ତି। କିନ୍ତୁ ନାମକରଣ ବେଳେ ସେହି ସୋମନାଥ ନାମ ହିଁ ଦିଆଯାଏ। ଲୋକେ କୁହନ୍ତି ଦୁଇ ସ୍ଥାନରେ ଉଭା ହେଲେ ବି ଏ ଦିଅଁ ଗୋଟିଏ। ତେଣୁ ନାଁ ବି ଗୋଟିଏ। ସୋମନାଥ।
ବେଳେବେଳେ ତର୍କ ହୁଏ ମନ୍ଦିର ପ୍ରତିଷ୍ଠା ସମୟରେ ହିଁ ଏହି ଲିଙ୍ଗଙ୍କ ମୁଖ ପଶ୍ଚିମକୁ ରହିଥିଲା। କିନ୍ତୁ କେହି କେହି ଗବେଷକ ଭିନ୍ନ ମତ ଦିଅନ୍ତି। କୁହନ୍ତି କୌଣସି ଭକ୍ତର ସଙ୍ଗୀତ ଶ୍ରବଣ କରିବାକୁ ଠାକୁରେ ଏଠି ପଶ୍ଚିମକୁ ବୁଲି ପଡିଛନ୍ତି। କଥା ଆଉ କାହାଣୀ ଯାହା ବି ହେଉ। କୃପାମୟ ସୋମନାଥ ଆଜି ବି ଏଠି ଭକ୍ତଙ୍କୁ ରୋଗମୁକ୍ତ କରନ୍ତି। କ୍ୟାନସରଠାରୁ ଆରମ୍ଭ କରି ଅନେକ ବ୍ୟାଧି ତାଙ୍କ ପାଦୁକ ପାନରେ ସୁସ୍ଥତା ପାଏ। ନୀଳ ପୋଖରୀ ଏ ସମସ୍ତ ଚମତ୍କାରର ପରମ ପ୍ରତିକ ହୋଇ ଆଜି ବି ଠିଆ ହୋଇଛି।