ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ଭାବେ ଏହି ତଥ୍ୟ ବିଶ୍ୱସ୍ତ ସୂତ୍ରରୁ ମିଳିଛି। ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ବୁଧବାର ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ ଫୋନି ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ବାତ୍ୟା ଯୋଗୁ ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ବଡ ବଡ ଖୁଣ୍ଟି ଉପୁଡି ପଡିଛି । ବିଦ୍ୟୁତ, ଜଳ ଓ ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି ।ରାଜଧାନୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । କଟକରେ ୮୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ, ଜଟଣୀରେ ୫୦ ପ୍ରତିଶତ ଜଳ ଯୋଗାଣ ହୋଇ ପାରିଛି। ସନ୍ଧ୍ୟା ସୁଦ୍ଧା ଆଜି କଟକରେ ଶତପ୍ରତିଶତ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବା ବୋଲି ପୂର୍ବାନୁମାନ କରାଯାଉଛି। ରାଜଧାନୀ ଭୁବନେଶ୍ୱରରେ ୮୦ ପ୍ରତିଶତ ବିଦ୍ୟୁତ୍ ସେବା ମିଳିବ। ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ ପ୍ରତିଶତ ବିଦ୍ୟୁତ ସେବା ମିଳିବ। ଏହା ପରେ ପୁରୀରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ କରାଯିବ।
