ଅର୍ଗସ ବ୍ୟୁରୋ : ଚାଷୀଙ୍କୁ ସର୍ବନିମ୍ନ ସୁରକ୍ଷା ଭତ୍ତା ବାବଦକୁ ମାସିକ ୫ହଜାର ଟଙ୍କା ପ୍ରଦାନ । ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କାରୁ ୨ ହଜାରକୁ ବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ୨୩ଟି ଫସଲର ଏମ୍ଏସ୍ପି ଧାର୍ଯ୍ୟ କରିବା, କ୍ଷୀର ଲିଟରକୁ ୬୦ ଟଙ୍କା ଧାର୍ଯ୍ୟ କରିବା ଓ ୨୩ଟି ଫସଲର ଏମଏସପି ଧାର୍ଯ୍ୟ କରିବା ଭଳି ୧୯ ଦଫା ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ଯାଜପୁରରୁ ଭୁବନେଶ୍ବର ଅଭିମୁଖେ ସଂଗଠନର ବିଶାଳ ରାଲି । ସାମିଲ୍ ହୋଇଛନ୍ତି, ଭୋକିଲା ପେଟ ଭରୁଥିବା ଚାଷୀଙ୍କଠାରୁ ଦେଶର ନୀତି ନିର୍ଦ୍ଧାରଣର ଅଭିଜ୍ଞତା ରଖୁଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ । ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବି ସହ ସମ୍ବିଧାନର ଧାରା ୨୧ ଅନୁସାରେ ସର୍ବନିମ୍ନ ସୁରକ୍ଷା ଭତ୍ତା ଦାବି କରିଛି ସଂଗଠନ ।
ରାଜ୍ୟ ଜନସଂଖ୍ୟାର ପ୍ରାୟ ଅଧାରୁ ଅଧିକ ଚାଷୀ । ୨୨ ବର୍ଷର ସ୍ଥିର ସରକାରରେ ଅବହେଳିତ ଚାଷୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ । କାଳିଆ ଯୋଜନାରେ ଅଦ୍ୟାବଧି ବାଦ ପଡିଥିବା ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଜନା ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି ସଂଗଠନ । କେବଳ ସେତିକି ନୁହେଁ ବର୍ଷ ବର୍ଷ ଧରି ମଣ୍ଡି ଟେନସନ ଭୋଗୁଛି ଚାଷୀ । କେତେବେଳେ କଟନୀ ଛଟନୀକୁ ନେଇ ଦାବି ତ ଆଉ କେତେବେଳେ ଟୋକେନ ଟେନସନ୍ । ଯାହାର ସ୍ଥାୟୀ ସମାଧାନ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ । ଅକ୍ଟୋବର ୧୯ରେ ଭୁବନେଶ୍ବରରେ ଚାଷୀ ସତ୍ୟାଗ୍ରହ । ପ୍ରାଇସ, ପେନସନ ଓ ଫ୍ରେଷ୍ଟିଜ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆହ୍ବାନରେ ଯୋଗଦେବେ ଲକ୍ଷ ଲକ୍ଷ ଚାଷୀ ।