ଅର୍ଗସ ବ୍ୟୁରୋ: ବଦଳୁଛି ପାଣିପାଗ। ବିଗୁଡ଼ିଛି ଋତୁ ଚକ୍ର । ହେମନ୍ତ, ଶରତ, ବସନ୍ତ କେବେ ଆସି ପଳାଉଛି, ଅନୁଭବ କରିହେଉନି । ଏ ଭିତରେ ଗାୟବ ହେଲାନି ଶୀତ। ଆଗକୁ କେବଳ ଅନୁଭୁତ ହେବ ଗ୍ରୀଷ୍ମ ଏବଂ ବର୍ଷା। ଏବେଠୁ ଏଭଳି କିଛି ଆକଳନ କଲେଣି ବିଶେଷଜ୍ଞ ମାନେ। କାହିଁକି ନା ଚଳିତବର୍ଷ ଫେବୃୟାରୀରୁ ଖରା ହେବା ନେଇ ଆକଳନ କରିଛି ମଡେଲ । ରାଜ୍ୟରେ ବଢ଼ିବାରେ ଲାଗିଛି ତାପମାତ୍ରା । କମିଛି ଶୀତ। ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟ ହେତୁ ଘନ କୁହୁଡ଼ି ପଡୁଥିବା ବେଳେ ପାଗ କୋହଲା ରହୁଛି। ଏଥିସହ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ବିଭିନ୍ନ ମଡେଲ ଆକଳନରୁ ଜଣାପଡ଼ିଛି। ଆସନ୍ତାକାଲି ସର୍ବନିମ୍ନ ତାପମାତ୍ରା ଉପକୂଳରେ ପ୍ରାୟ ୧ ଡିଗ୍ରୀ ବଢ଼ିବ। ପରବର୍ତ୍ତୀ ୫ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିପାରେ। ଦକ୍ଷିଣ ଆଭ୍ୟନ୍ତରିଣରେ ସର୍ବନିମ୍ନ ତାପମାତ୍ରା ଆଜି ରାତିରୁ କ୍ରମଶଃ ବଢ଼ିବ ଏବଂ ୨୩ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଲନ କରିଛନ୍ତି କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ଗୁରୁଚାପ ବଳୟ ପ୍ରଭାବରେ ଘନ କୁହୁଡି ଆସ୍ତରଣ ହେବ। କଲବଲ ହେବେ ରାଜ୍ୟବାସୀ। ୫୦ରୁ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ଦେଖାଯିବ ନାହିଁ। ସେଥିପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୨ ତାରିଖ ସକାଳେ ୮.୩୦ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୋଳ, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଗଞ୍ଜାମ,ରାୟଗଡ଼ା ଓ କୋରାପୁଟ୍ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏଥିସହ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପାଗ ଶୁଖିଲା ରହିଛି। ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୩.୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହିତ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।