ଶିମିଳିପାଳ: ଶିମିଳିପାଳ ଏବେ ବି ଜଳୁଛି। ନିମଣଦା, ଜାମୁଆଣି, ଏକତାଳି ରେଞ୍ଜରେ ନିଆଁ। ସାଟେଲାଇଟ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଡେପୁଟି ଡାଇରେକ୍ଟର ଅଧୀନରେ ଥିବା ୮ ରେଞ୍ଜରୁ ୩ ଟି ରେଞ୍ଜରେ ଏବେବି ନିଆଁ ଜଳୁଛି । ସାଟେଲାଇଟ୍ ରିପୋର୍ଟ ନିମଣଦା , ଜାମୁଆଣି , ଏକତାଳୀ ରେଞ୍ଜରେ ଗୋଟିଏ ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ଜନବସତି ପାଖ ଅଂଚଳରେ ନିଆଁ ଲାଗିଥିବା ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି । ତେବେ କୌଣସି ପଶୁପକ୍ଷୀ, ଜନବସତି ଏବଂ ମୂଲ୍ୟବାନ ଗଛର କ୍ଷତି ଘଟି ନଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି ।
ଶିମିଳିପାଳରେ ନିଆଁ ଲାଗିବା ଘଟଣାରେ କଂଗ୍ରେସର ୬ ଜଣିଆ ଅନୁଧ୍ୟାନକାରୀ ଟିମ ମୟୁରଭଞ୍ଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ୪ ଦିନ ମଧ୍ୟରେ ଏହି ଟିମ ଶିମିଳିପାଳର ବିଭିନ୍ନ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହ ତଥ୍ୟ ସଂଗ୍ରହ କରି ପିସିସି ସଭାପତିଙ୍କୁ ପ୍ରଦାନ କରିବେ ।
ଅନ୍ୟପଟେ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଜୈବମଣ୍ଡଳରେରେ ନିଆଁ ଅନବରତ ଜଳି ଚାଲିଥିବା ନାସା ସ୍ୟାଟେଲାଇଟର ଗତକାଲି ଏକ ଭାଇରାଲ୍ ଫଟୋ ସାମ୍ନାକୁ ଆସିବା ପରେ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି । ନିଆଁ ବର୍ତ୍ତମାନ ବନବିଭାଗ ଦ୍ବାରା ଆୟତ୍ତ ହୋଇନଥିବା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ କହିଛନ୍ତି ।
ଶିମିଳିପାଳରେ ନିଆଁ ଲାଗିବା ନେଇ ପ୍ରଥମେ ସମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ ମୟୂରଭଞ୍ଜ ରାଜପରିବାରର ରାଜକୁମାରୀ ଅକ୍ଷିତା ଭଞଦେଓ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍ ଆସିବା ପରେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡଖର ରାଜ୍ୟ ସରକାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।.