ଆଉ ସକାଳୁ ଚାଷୀ ତା ସୁନାର କ୍ଷେତ ଦେଖି ହତାଶ । କୁଢ କୁଢ ପାଉଁଶ ଛଡା ଆଉ କିଛି ନାହିଁ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଅଧୀନ ମାନ୍ତପୁର ଗାଁରେ । ଗ୍ରାମର ଚାଷୀ ନରହରି ବିଶ୍ଵାଳ ସକାଳୁ ମୂଲିଆ ଧରି ଗାଁ ନିକଟରେ ଥିବା ବିଲକୁ କଟା ହୋଇଥିବା ଧାନ କଚଡାକୁ ବାନ୍ଧିବାକୁ ଯାଇଥିଲେ । ହଠାତ୍ ଦେଖିଲେ ଦୁଇଟି ବଡ଼ ବଡ଼ ବିଲର ଧାନ କଚଡା ପାଇ ହୁ ହୁ ହୋଇ ଜଳୁଛି ।
ଧାଇଁ ଯାଇ ଦେଖିଲା ବେଳକୁ ଆଉ କିଛି ନାହିଁ । ସ୍ୱାମୀ ମୁଠା ମୁଠା ପାଉଁଶ ଧରି କାନ୍ଦିଲା ବେଳକୁ ସ୍ତ୍ରୀ କ୍ଷେତରୁ ଖୋଜି ଖୋଜି ଧାନ କେଣ୍ଡା କାଢୁଛନ୍ତି । ଆଉ ଲୁହ ଗଡାଉଛନ୍ତି । ଜାଣିଶୁଣି ସେହି ଗାଁର ଜଣେ ବ୍ୟକ୍ତି ଏପରି କରିଥିବା କହିଛନ୍ତି ଚାଷୀ ନରହରି ବିଶ୍ୱାଳ । ସେପଟେ ଏହି ଖବର ଜଣାପଡିବା ପରେ କ୍ଷେତରେ ଗାଁ ଲୋକେ ରୁଣ୍ଢ ହୋଇଥିଲେ ।
ନରହରି ବିଶ୍ବାଳ ଓ ପାଖ ଚାଷୀ ନରେନ୍ଦ୍ର ବିଶ୍ଵାଳଙ୍କ ମୋଟ ପ୍ରାୟ ଏକ ମାଣରୁ ଉର୍ଦ୍ଧ ଧାନ ବିଲ ପୋଡ଼ି ପାଉଁଶ ହୋଇଯାଇଛି । ଭଣ୍ଡାରୀପୋଖରୀ ଥାନାରେ ନରହରି ବିଶ୍ଵାଳ ଅଭିଯୋଗ କରିଛନ୍ତି । ଥାନାରେ ୪୫୦/୨୨ କେସ ନମ୍ବରରେ ବିଶ୍ୱମ୍ୱର ନାଥ ଓରଫ ବୁଲା ନାମରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।