ଅର୍ଗସ ବ୍ୟୁରୋ: ଧାନର MSPକୁ ନେଇ ପୁଣି ତେଜିଲା ରାଜନୀତି । କୁଇଣ୍ଟାଲ ପିଛା 2 ହଜାର183 ଟଙ୍କା କେନ୍ଦ୍ର ଦେଉଥିବାବେଳେ ରାଜ୍ୟ ସରକାରଙ୍କ ଅବଦାନ କ'ଣ ? ଖରିଫରେ 500 ଟଙ୍କା ବୋନସ ଦେବା ନେଇ ବିଜେପିର ପ୍ରଶ୍ନକୁ ଏଡାଇ ଗଲେ ରାଜ୍ୟ ସରକାର । ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛନ୍ତି କୃଷିମନ୍ତ୍ରୀ।
ଜୋର ଧରିଲା ଧାନ ଦର ବୃଦ୍ଧି ରାଜନୀତି । ଏମଏସପି ଉପରେ ବୋନସ ଦେବେ କହି କେମିତି ଭୁଲି ଗଲେ ସରକାର ? ଚାଷୀ ଉତ୍ତର ମାଗୁଥିବା ବେଳେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ବି ବାଆଁରେଇ ଦେଉଛନ୍ତି କୃଷି ମନ୍ତ୍ରୀ । 2016ରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ଏକ ଚାଷୀ ସମାବେଶରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଚାଷୀଙ୍କୁ 100 ଟଙ୍କା ବୋନସ ଦେବେ ।
ହେଲେ ଏ ଘୋଷଣାକୁ 7 ବର୍ଷ ବିତି ଯାଇଥିଲେ ସୁଦ୍ଧା ଚାଷୀଙ୍କୁ ବୋନସ ଦେଇନାହାନ୍ତି ରାଜ୍ୟ ସରକାର । ତେବେ ବିଧାନସଭାରେ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟରେ ରାଜ୍ୟ ସରକାରଙ୍କ ଅବଦାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଚଳିତ ଖରିଫ ବିକ୍ରୟ ଋତୁ ପାଇଁ ସରକାର ଧାନ କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ଦେବେ କି ନାହିଁ ସେ ସଂପର୍କରେ ପ୍ରଶ୍ନ କରିଥିଲେ ସୁରଜ । କିନ୍ତୁ ସୁରଜଙ୍କ ପ୍ରଶ୍ନକୁ ସଂପୂର୍ଣ୍ଣ ଏଡାଇ ଦେଇଛନ୍ତି କୃଷି ମନ୍ତ୍ରୀ। କିନ୍ତୁ ଅନ୍ୟପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କରାଯାଉ ବୋଲି ମଙ୍ଗଳବାର କେନ୍ଦ୍ର ବିରୋଧରେ ବଡ଼ ପାଟିରେ ନାରା ଦେଇଥିଲେ ବିଜେଡ଼ି ବିଧାୟକ । ଏହା ଚାଷୀଙ୍କ ପାଇଁ ଶାସକ ଦଳ ବିଧାୟକଙ୍କ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିରୋଧୀ ।
2021ବେଳକୁ ଏମଏସପି 558 ଟଙ୍କା ବୃଦ୍ଧି ପାଇ 1868ରେ ପହଞ୍ଚିଥିଲା । ପୁଣି ବର୍ଷେ ପରେ ଏହା 72 ଟଙ୍କା ବଢି ହେଲା 1940 ଟଙ୍କା। 2022-23ରେ ରେ କେନ୍ଦ୍ର ସରକାର ଆଉ 100 ଟଙ୍କା ବୃଦ୍ଧି କରି ସର୍ବନିର୍ମ ସହାୟକ ମୁଲ୍ୟ 2040 ଟଙ୍କା କଲେ ଏଥର ଜୁନରେ ଆଉ 143 ଟଙ୍କା ବଢିବା ପରେ ଧାନର କୁଇଣ୍ଟାଲ ପିଛା ମୁଲ୍ୟ 2183 ଟଙ୍କାରେ ପହଁଞ୍ଚିଛି।
କିନ୍ତୁ ଓଡ଼ିଶାରେ ମଣ୍ଡି ଅବ୍ୟବସ୍ଥା, ଧାନ କିଣାରେ ମିଲରଙ୍କ ମନମାନୀ, ବ୍ୟାପକ କଟନୀ ଛଟନୀ ଏବଂ ଅଭାବୀ ବିକ୍ରି ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି । ଯେଉଁଥିପାଇଁ ଓଡ଼ିଶା ଚାଷୀଙ୍କ ମାସିକ ଆୟ ମାତ୍ର 5 ହାଜର 112 ଟଙ୍କା । ଓଡ଼ିଶା ସବୁ ରାଜ୍ୟ ଭିତରେ ଚାଷୀଙ୍କ ଆୟ କ୍ଷେତ୍ରରେ ତଳ ଆଡୁ 2 ନମ୍ୱର।
ଅଧିକ ପଢ଼ନ୍ତୁ ରାଜନୀତି ଖବର