ଦିନ ଦିନ ଧରି ଅଳିଆ ଆବର୍ଜନା ଉଠୁନଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବିଏମସି କାର୍ଯ୍ୟାଳୟକୁ ଦୈନିକ ବିଭିନ୍ନ କାମରେ ଆସୁଥିବା ଲୋକମାନେ ଦୁର୍ଗନ୍ଧମୟ ପରିବେଶରେ ଅତିଷ୍ଠ ହେବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖୋଦ୍ ବିଏମସି ଅଫିସ୍ ଆବର୍ଜନା ଘେରରେ ରହିଥିବା ବେଳେ ରାଜଧାନୀର ପରିମଳ ଅବସ୍ଥା କିପରି ଥିବ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି ।
କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ନିଜକୁ। ବର୍ତ୍ତମାନ ବିଏମସି ପାଇଁ ଏହି ଉକ୍ତିଟି ସଠିକ ବୋଲି ପରିଲକ୍ଷିତ ହେଉଛି। ସକାଳେ ସଂଧ୍ୟାରେ ବିଏମସିର ଏକାଧିକ ଅଳିଆ ସଂଗ୍ରହକାରୀ ଗାଡି ରାଜଧାନୀର ଗଳି ଗଳି ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି। ତେବେ ଏହି ସମସ୍ତ ଗାଡି ଗୁଡିକ ବିଏମସି ଅଫିସକୁ ବାଟ ଭୁଲି ଯାଇଥିବା ଭଳି ମନେ ହେଉଛି।
ଗୋଟିଏ ପଟେ ରାଜଧାନୀରେ ପରିମଳ ବ୍ୟବସ୍ଥା ସଜାଡିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଏମସି ଅଫିସ୍ ଏଥିରୁ ବାଦ ପଡିଛି। ଏହି ସମସ୍ୟା ପ୍ରତି ବିଏମସି ମେୟର, କମିଶନର ଏବଂ ପ୍ରଶାସନିକ ଅଧିକାରୀ ମାନେ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏନେଇ ଆମେ ବିଏମସି ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନି। ତେବେ କେବେ ବିଏମସି ନିଜ ଅଫିସ ଚାରିପାଖର ଆବର୍ଜନା ସଫା କରିବା ପାଇଁ ଆଗଭର ହେଉଛି ଦେଖିବାକୁ ବାକି।