ଭୁବନେଶ୍ୱର: ଅର୍ଗସର ମହାପ୍ରଭାବ । ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ । ନିଲମ୍ବିତ ହେଲେ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିର ପିଅନ ଗଦାଧର ସାହୁ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବେଣାଗାଡ଼ିଆ ପଞ୍ଚାୟତ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । କିନ୍ତୁ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଓ ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।
ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଚାଷୀ ସେବା ସମବାୟ ସମିତି କାର୍ଯ୍ୟାଳୟରେ 20 ଦିନ ତଳେ ତାଲା ପକାଇଥିଲେ । ଆଉ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଯାହାକୁ ନେଇ ଗତ 3 ତାରିଖ ଦିନ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଚାଷୀଙ୍କ ନାଁରେ ଅଣଚାଷୀ ଧାନ ବିକ୍ରି କରୁଥିବା ନେଇ ଅଭିଯୋଗ କରିଥିଲେ ତେନ୍ତୁଳିଆପଲ୍ଲୀ ଗାଁର ଚାଷୀ ।
ମଣ୍ଡି ଆରମ୍ଭ ହେବା ଦିନ ଠାରୁ ଏଭଳି ଜାଲିଆତି ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ସମବାୟ ସମିତିର ପିଅନ ଗଦାଧର ସାହୁ ସବୁ ଘୋଟାଲାରେ ସମ୍ପୃକ୍ତ ଥିବା ନେଇ ଚାଷୀ କହିଥିଲେ । ତେବେ ଖବର ପ୍ରସାରଣ ପରେ ନୟାଗଡ ବିଭିନ୍ନ ଅଧିକାରୀ ଗତ 5 ତାରିଖରେ ତେନ୍ତୁଳିଆପଲ୍ଲୀ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଚାଷୀମାନେ କରିଥିବା ଅଭିଯୋଗର ସତ୍ୟତା ଥିବା ନେଇ ପ୍ରଶାସନିକ ଅଧିକାରୀ ଜାଣିବା ପରେ ସମିତି ଦାୟିତ୍ବରେ ପିଅନ ଗଦାଧର ସାହୁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।