ସହରର ପ୍ରଥମ ଚାନ୍ଦି ମେଢ଼ ଖଡ଼ିଅଙ୍ଗ ଓ ସର୍ବାଧିକ ଚାନ୍ଦି ବ୍ୟବହାର ହୋଇଥିବା କାକଟ କ୍ଲବ ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ବେଳେ ପୁରୁଣା ବସଷ୍ଟାଣ୍ଡର ଥାନପତି ଲକ୍ଷ୍ମୀଦେବୀଙ୍କ ପୂଜା ଚାକଚକ୍ୟରେ କରାଯିବା ନେଇ ଅଣ୍ଟା ଭିଡିଛନ୍ତି କର୍ମକର୍ତ୍ତା । ସେହିପରି ଚିରାଚରିତ କେମିକାଲ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି ମୂର୍ତ୍ତି କାରିଗର । ପୂଜା ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ମଧ୍ୟରାତ୍ରି ସୁଦ୍ଧା ଦେବୀଙ୍କ ମୂର୍ତ୍ତି ପ୍ରସ୍ତୁତ କରି ପୂଜା କମିଟି ଗୁଡିକୁ ହସ୍ତାନ୍ତର କରିବା ଲକ୍ଷନେଇ ରାତିଦିନ ଏକାକାର କରିଛନ୍ତି କାରିଗର ଓ ସହକାରୀ ।
ଗଣପର୍ବ ପାଇଁ ସୁନ୍ଦର ତୋରଣ/ଗେଟ ନିର୍ମାଣ ପାଇଁ ଜିଲ୍ଲା ବାହାରର କାରିଗର ଗତ ଏକ ସପ୍ତାହ ଧରି କାର୍ଯ୍ୟରେ ଲାଗି ପଡିଛନ୍ତି । ସହର ଉପକଣ୍ଠରେ ଥିବା ସଦ୍ଭାବନା କ୍ଲବ ଗତ ୨୦୧୯ରେ ସୁନ୍ଦର ତୋରଣ ନିର୍ମାଣ କରି ଭକ୍ତଙ୍କ ପ୍ରଶଂସା ସାଉଁଟିଥିବା ବେଳେ ଚଳିତବର୍ଷ ସୁଦୂର ବାଲେଶ୍ୱରରୁ କାରିଗର ଆଣି ତୋରଣ ତିଆରିରେ ଲାଗି ପଡିଛନ୍ତି । ଏଥିସହ ଗଜଲକ୍ଷ୍ମୀଙ୍କ ମେଳଣ ପାଇଁ ଓଡିଶା ତଥା ଓଡିଶା ବାହାରର ବ୍ରାସ(ବାଜା)ପାର୍ଟି ସେମାନଙ୍କ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେହିପରି ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ପାଇଁ ବିଭିନ୍ନ ଗ୍ରୁପକୁ ବଇନା ଦିଆଯାଇଥିବା କହିଛନ୍ତି ପୂଜା କମିଟି ସଦସ୍ୟ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।