ଅଧିକ ପଢନ୍ତୁ ଓଡ଼ିଶା ଖବର
ଝିଅ ପ୍ରେମ ବିବାହ କରିଥିବା କଥା ପରିବାର ଲୋକେ ଜାଣିବା ପରେ ଜିଇଁ ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକେ । ସାତଜନ୍ମର ସାଥି ହେବା ପାଇଁ ଜନ୍ମଦାତାଙ୍କ ସହ ସମ୍ପର୍କ ଛିନ୍ନ କଲା ଆଉ ଝିଅ । ଯାହାପରେ ଜିଅନ୍ତା ଅବସ୍ଥାରେ ଝିଅର ଶ୍ରାଦ୍ଧ କଲା ପରିବାର । ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ପରିବାରରେ ।
ଗତ ୭ ତାରିଖ ଦିନ କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହୋଇଥିଲେ ପରିବାର ଲୋକେ । ଯାହା କେନ୍ଦ୍ରାପଡ଼ା ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା । ସେ ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଥରେ ଘଟି ଆଉ ଏକ ସେହିଭଳି ଘଟଣା । ଚାଲିଛି ମନ୍ତ୍ର ପାଠ । ଚାଲିଛି ବଞ୍ଚିଥିବା ଝିଅର ଶୁଦ୍ଧି କ୍ରିୟା କର୍ମ । ହଁ ଆଜ୍ଞା କଥାଟା ଆପଣଙ୍କୁ ଅଡ଼ୁଆ ଲାଗୁଥାଇ ପାରେ କିନ୍ତୁ ଘଟଣାଟି ସତ । ଗତ ଶନିବାର ଦିନ ସହଦେବ ସାହୁଙ୍କ ମଝିଆ ଝିଅ ଚାନ୍ଦିନୀ ସାହୁ ଘରୁ କୁଆଡେ ଚାଲି ଯାଇଥିଲେ । ବହୁଖୋଜା ଖୋଜି ପରେ ସୋସିଆଲ ମିଡିଆରେ ନିଜ ଝିଅ କୌଣସି ଏକ ପୁଅ ସହ ବିବାହ କରିଥିବା ଜାଣିବାକୁ ପାଇଲେ । ଏହି ଖବର ଜାଣି ସହଦେବଙ୍କ ପାଦ ତଳୁ ମାଟି ଖସିପଡ଼ିଥିଲା । ଏତେ ବର୍ଷ ନିଜ ଝିଅକୁ ସ୍ନେହ ଆଦର ଦେଇ ପାଠ ସାଠ ପଢାଇ ଆସୁଥିଲେ ସହଦେବ ।
ସହଦେବ ଜଣେ ଛୋଟ ଜଳଖିଆ ବେପାରୀ । ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ । ଅନେକ ସ୍ଵପ୍ନ ଦେଖି ନିଜ ଝିଅକୁ ପୁଅ ଭଳି ପାଳି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢାଇଲେ । ହେଲେ ଅଳ୍ପ କେଇଦିନ ଭିତରେ ସେହି ସ୍ବପ୍ନକୁ ନିଜ ପାଦରେ ଦଳି ଅନ୍ୟ ଜାତି ପୁଅର ହାତ ଧରି କୋର୍ଟ ମେରେଜ୍ କଲେ ଚାନ୍ଦିନୀ । ଝିଅର ଏହି ମାସ ୨୨ ତାରିଖରେ ନିର୍ବନ୍ଧ ହେବା ଲାଗି ସବୁ ଆୟୋଜନ ମଧ୍ୟ ସରି ଯାଇଥିଲା ବୋଲି କହିଛନ୍ତି ବାପା । ବଡ ଭଉଣୀ ନନ୍ଦିନୀ ନିଜ କୋହ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦି ଭଉଣୀର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଘରେ ରୋଗୀଣା ମା' କଥା ନଭାବି କିପରି ଚାଲି ଗଲା ବୋଲି କହିଛନ୍ତି ନନ୍ଦିନୀଙ୍କ ବଡ଼ ଭଉଣୀ ।