ସମସ୍ତ ଋତୁରେ ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ଶୀତଋତୁର ଆଗମନ ହେବା ପରେ ଲମ୍ବୁଛି ପର୍ଯ୍ୟଟକଙ୍କ ଧାଡ଼ି । ଜମୁଛି ପିକନିକ । କେବଳ ସେତିକି ନୁହେଁ ଜଳପ୍ରପାତର କୁଳୁକୁଳୁ ନାଦ ପର୍ଯ୍ୟଟଙ୍କ ମନକୁ ଆନନ୍ଦିତ କରୁଛି । ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଏଠାକୁ ଡାକିଆଣେ । ଏହି ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ଉତ୍କୃଷ୍ଟ ସ୍ଥାନ । ତେଣୁ ଏଠାରେ ଥିବା ବିଭିନ୍ନ ପିକନିକ ସ୍ପଟରେ ଏବେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଆନ୍ଧ୍ର ଓ ଓଡ଼ିଶା ର ବିଭିନ୍ନ ସ୍ଥାନରୁ ଲୋକେ ଆସି ଏଠାରେ ଭୋଜିଭାତ କରୁଛନ୍ତି । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।
ଏଠାରେ ଲୋକେ ଜଙ୍ଗଲରେ ବୁଲିବା ସହ ଏଠାକାର ଜଳ ପ୍ରପାତରେ ଗାଧୋଇବା ଏବଂ ସ୍ମୃତିକୁ ନିଜ କ୍ୟାମେରାରେ ଧରି ରଖିବାର ମଜା ନେବା ପାଇଁ ପର୍ଯ୍ୟଟକମାନେ କୌଣସି ମଉକା ଛାଡନ୍ତି ନାହିଁ । ଶିଳ୍ପବିହୀନ ଗଜପତି ଜିଲ୍ଲାର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି କେବଳ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦ୍ୱାରା ହିଁ ସମ୍ଭବ । ହେଲେ ସରକାର କିମ୍ବା ପର୍ଯ୍ୟଟନ ବିଭାଗ ଏହି ପ୍ରାକୃତିକ ମନୋରମର ଗନ୍ତାଘରର ଯେଭଳି ଉନ୍ନତି କରିବା କଥା ତାହା ଆଜି ଯାଏଁ ହୋଇପାରିନାହିଁ । ଜିଲ୍ଲାର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଯେଉଁଭଳି ଉନ୍ନତି ହେବା କଥା ତାହା ଆଜି ଯାଏଁ ହୋଇ ପାରିନଥିବାରୁ ବୁଦ୍ଧିଜୀବିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗ ଦ୍ବାରା କିଛିଟା ଉନ୍ନତି ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ । ପର୍ଯ୍ୟଟଙ୍କ ସୁବିଧା ପାଇଁ ଆହୁରି ଅନେକ କିଛି କରିବାର ଆବଶ୍ୟକତା ରହିଛି । ଏହି ସ୍ଥାନର ଉନ୍ନତି ପାଇଁ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଏହି ଅଞ୍ଚଳର ବିକାଶ କେବେ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।