ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଟାଧାର ଗାଁରେ । ଏହି ବୃଦ୍ଧା ଜଣକ ହେଉଛନ୍ତି ଏହି ଗାଁର ପଦ୍ମାବତୀ ନାୟକ । ଗତ ଚାରିମାସ ହେବ ପାଖ୍ୟାଘାତରେ ପୀଡିତ ହୋଇ ଅଚଳ ହୋଇ ପଡିଛନ୍ତି ପଦ୍ମାବତୀ । ଦୁଇ ବର୍ଷ ହେଲା ସ୍ୱାମୀ ଆର ପାରିକୁ ଚାଲିଯାଇଛନ୍ତି । ଦୁଇ ପୁଅ ଓ ବୋହୁ ରହିଛନ୍ତି । ସାନ ପୁଅ ବୋହୂ ଦୁଇ ମାସ ସେବା କଲେ ହେଲେ ବଡ଼ ପୁଅ ବୋହୁ ଭୁବନେଶ୍ୱରରୁ ନଆସିବାରୁ ସାନ ପୁଅ ଦୁଇ ମାସ ହେଲା ନିଜ ପିଲାଙ୍କୁ ନେଇ ବାହାରକୁ ଚାଲିଗଲା । ଦୁଇ ଭାଇଙ୍କ କଳିରେ ଏବେ ବଳି ପଡିଯାଇଛି ଜନ୍ମ କଲା ମା' ।
ସାନ ପୁଅ ଗଲାବେଳକୁ ମା' ହାତରେ ହଜାର ଟଙ୍କା ଧରାଇ ଦେଇ ଚାଲିଗଲା । ଟଙ୍କା କଣ କରିବ ଏହି ବୃଦ୍ଧା ମା' । ମା' ଖୋଜୁଛି ମମତା ଟିକିଏ । ଆଉ ପୁଅ ବୋହୂଙ୍କ ସେବା । ଏଭଳି ପରିସ୍ଥିତିରେ ପ୍ରାୟ ଆଠ ଦିନ ହେଲା ଆଖିଆ ଅପିଆ ପଡିଥିବା ଏହି ମାଟି କଣ ଭାବୁଥିବ । କାନ୍ଥରେ ଲାଗିଥିବା ନିଜ ସ୍ୱାମୀଙ୍କ ଫୋଟ ଦେଖି ନିଶ୍ଚୟ କହୁଥିବ । ତମେ ମତେ ଠକିଦେଲ । ସାତ ଜନ୍ମକୁ ସାଥି କରି ରଖିବ ବିବାହ ବେଦିରେ କଥା ଦେଇଥିଲ ହେଲେ ମୋତେ ଏକା କରି ଚାଲିଗଲ । ଆଉ ଦେଖୁଛ ଆମ ଦୁଇ ପୁଅ ପ୍ରଭାତ ଆଉ ପ୍ରଦୀପ ନିଜ ପୁଅ ଓ ସ୍ତ୍ରୀ କଥା ବୁଝୁଛନ୍ତି । ମୋ କଥା କେହି ବୁଝିଲେନି । ଆମେ କେତେ କଷ୍ଟରେ କେତେ ଗେଲ୍ହାରେ ସେମାନଙ୍କୁ ବଢ଼ାଇଥିଲେ । ଆମର କେଉଁଠି ରହିଲା ଭୁଲ ଆମ ପିଲା ମାନେ ଏମିତି କଲେ । ମତେ ଭାରି କଷ୍ଟ ହେଉଛି । ମୁଁ ଭାବୁଛି ମୋ ପୁଅ ମାନେ ଏମିତି କରିଥିବା କଥା କେହି ଶୁଣିବା ପୂର୍ବରୁ ମୋତେ ତମ ପାଖକୁ ନେଇଯାଅ ନଚେତ ଆଉ କେହି ପୁଅ ଜନ୍ମ କରିବାକୁ ଭୟ କରିବେ ।
ଆଉ ଗୋଟିଏ କଥା କାଳେ ପ୍ରଭାତ କିମ୍ବା ପ୍ରଦୀପର ପୁଅ ଝିଅ ମୋର ଏ ଅବସ୍ଥା ଦେଖି କାଳେ ବାପା ମା'ଙ୍କୁ ଏମିତି କରିବା ଶିଖିଯିବେ । ହେ ପ୍ରଭୁ ମୋର ଭଳି ଏମିତିକା ପୁଅ ଆଉ କାହାକୁ ଦିଅ ନି ନହେଲେ ମା' ମାନେ ଆଉ ପୁଅ ଝିଅ ଜନ୍ମ କରିବାକୁ ଭୟ କରିବେ । ପଦ୍ମାବତୀ ସିନା ଏମିତି ଭାବୁଥିବେ କିନ୍ତୁ ଗ୍ରାମବାସୀ ପୁଅ ମାନଙ୍କ ମା' ପ୍ରତି ଏଭଳି ବ୍ୟବହାରକୁ ଦୃଢ଼ ନିନ୍ଦା କରିବା ସହ ପ୍ରଶାସନ ଏଥି ପ୍ରତି କଡା ପଦକ୍ଷେପ ଗ୍ରହଣ କରୁ ଓ ସେମାନଙ୍କୁ ଶାସ୍ତି ଦେଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ନଚେତ ଏହା ପରିବେଶ ପାଇଁ ଖରାପ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଛନ୍ତି ।