ଖୋର୍ଦ୍ଧା :- ଦୀର୍ଘ ଦୁଇବର୍ଷ ପରେ ଆଡମ୍ବରର ସହ ଉଦଯାପିତ ହୋଇଛି ଗ୍ଲୋରୀ ଫେଷ୍ଟ 2023। ଶୀତୁଆ ସଂଧ୍ୟାରେ ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଫ୍ୟାସନ୍ ସୋ ର ମଜା ଉଠାଇଥିଲେ ଉପସ୍ଥିତ ଦର୍ଶକ । ରାଜ୍ୟ ଓ ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଖଲିକୋଟ ବିଶ୍ୱବିଦ୍ୟାଳୟ, ତିରୁପତି ବିଶ୍ୱବିଦ୍ୟାଳୟ, ଢ଼େଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳୟ, ଏସ୍ସିଏସ୍ ସ୍ୱଂୟଶାସିତ ମହାବିଦ୍ୟାଳୟ, ଜି.ଏମ୍ ଆଇନ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ହାଇଟେକ୍ କଲେଜ ଅଫ୍ ନର୍ସିଂ, ହାଇଟେକ୍ ସ୍କୁଲ୍ ଅଫ ନର୍ସିଂର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେପଟେ ଗ୍ଲୋରୀ ଫେଷ୍ଟ 2023ର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଚଳିତବର୍ଷର ଗ୍ଲୋରୀ କୁଇନ୍ ର ମୁକୁଟ ହାତେଇଥିବା ହାଇଟେକ୍ କଲେଜ୍ ଅଫ୍ ନର୍ସିଂର ଛାତ୍ରୀ ପୂଜା ବିଶ୍ୱାସ। ଅନ୍ୟପଟେ ଶୀତୁଆ ସଂଧ୍ୟ୍ଯାକୁ ଆହୁରି ରଙ୍ଗୀନ୍ କରିଥିଲେ 2007 ସାରେଗାମାପା ବିଜେତା ତଥା ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଅନିକ୍ ଧର୍। ଅନିକ୍ ଙ୍କ ସୁରିଲା ଅନ୍ଦାଜରେ ଝୁମିଥିଲେ ଉପସ୍ଥିତ ଥିବା ଦର୍ଶକ। ଷ୍ଟେଜରୁ ଓହ୍ଲାଇ ଦର୍ଶକଙ୍କ ଗହଣରେ ଅନିକ୍ ଗାଇଥିଲେ ଅନେକ ଗୀତ ଯାହା ଯୁବପିଢ଼ିଙ୍କୁ ନାଚିବାକୁ ବାଧ୍ୟ କରିଥିଲା। ଅନ୍ୟପଟେ ବଲିଉଡ୍ ସିଙ୍ଗର୍ ଲୋପାମୁଦ୍ରାଙ୍କ ସଙ୍ଗୀତର ସୁରେସୁରେ ପୁରୀ ବେଳାଭୂମି ମଧ୍ୟ ରଙ୍ଗୀନ୍ ହୋଇଥିଲା। ତେବେ ପୁରୀ ବେଳାଭୂମିରେ ଦର୍ଶକଙ୍କ ଖଚାଖଚ୍ ଭିଡ ଆଗରେ ସଙ୍ଗୀତ ପରିବେଷଣ କରି ବେଶ୍ ଖୁସି ଜାହିର୍ କରିଛନ୍ତି ଅନୀକ୍ ଓ ଲୋପାମୁଦ୍ରା।
ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନିଦିନଆ ‘ଗ୍ଲୋରି ଫେଷ୍ଟ୍-୨୦୨୩’ପୁରୀ ବେଳାଭୂମିରେ ଉଦ୍ଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ। ତିନିଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦୁଇଦିନ ପୁରୀ ଟାଉନ୍ ହଲରେ କୁଇଜ୍, ସ୍କିଟ୍, ଅନ୍ତାକ୍ଷରୀ, ରେକର୍ଡ଼ ଡ଼୍ୟାନ୍ସ, ଓ ଗ୍ଲୋରୀ କୁଇନ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଓ ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ଟ୍ରଫି ହାତେଇଥିଲେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦଳଗତ ଚାମ୍ପିୟାନ ଟ୍ରଫି ଓ ଟ୍ୟାଲେଣ୍ଟ ଅଫ୍ ଦ ୟର୍ ପୁରଷ୍କାର ହାତେଇଥିବା ବେଳେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଟିମ୍ କୁ ଶୃଙ୍ଖଳିତ ଦଳ ଭାଵେ ପୁରଷ୍କୃତ କରାଯାଇଥିଲା। ଏଥିସହ ଅନ୍ୟାନ୍ୟ 14ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରଷ୍କୃତ କରାଯାଇଥିଲା। ସେପଟେ ମଝିରେ ମଝିରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନେ ପାଠ ପଢା ବୋଝରୁ ଟିକିଏ ହାଲୁକା ରହିବେ ବୋଲି ପୁରୀ ବିଧାୟକ କହିଥିଲେ।
ପୁରୀ ବେଳାଭୂମିରେ ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିବା ବେଳେ ସଙ୍ଗୀତର ତାଳେତାଳେ ଯୁବପିଢି ନାଚି ଉଠିଥିଲେ