ଅର୍ଗସ ବ୍ୟୁରୋ: କଣ୍ଟେନର ଭିତରେ ଗୋମାତା। ଅତି ଦୟନୀୟ ଅବସ୍ଥାରେ ହେଉଥିଲେ ଚାଲାଣ। ୧୦ରୁ ଅଧିକ କଣ୍ଟେନରରେ ଗୋରୁ ଭର୍ତ୍ତି କରି ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ଗୋ ମାଫିଆ । ଗୋ ସୁରକ୍ଷାକାରୀଙ୍କୁ ମିଳିଲା ଖବର। ପିଛା କଲେ, ଯଶୀପୁର ଟୋଲଗେଟ୍ ନିକଟରେ କିଛି ଗାଡିକୁ ଅଟକାଇଲେ। ଅଚାନକ ଏଇ ସବୁ ଗାଡିରେ ଆସି ପହଞ୍ଚିଲେ ଗୋ ମାଫିଆ । ଆରମ୍ଭ କରିଦେଲେ ଫାୟାରିଂ। କେଇ ସମୟ ପାଇଁ ସେ ଅଞ୍ଚଳକୁ ନିଜ କବଜାକୁ ନେଇ ଚଳାଇଲେ ଆତଙ୍କରାଜ । ଗୁଳି ମାଡ଼ରେ ୨ ଗୋ ସୁରକ୍ଷାକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବାରିପଦା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଇ ଘଟଣାରେ ଗୋ ଚାଲାଣକାରୀ ଆସିଥିବା ଗାଡିକୁ ଜବତ କରିଛି ପୋଲିସ। ୧୧ ଜଣଙ୍କୁ ଗିରଫ ବି କରାଯାଇଛି। ଏଇ ରାକେଟ୍ ଯାଜପୁର-ଜଗତସିଂହପୁର ଓ ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରୁଥିଲେ।
ବିପଦରେ ଗୋମାତା । ରାଜ୍ୟ ବିଭିନ୍ନ ସ୍ଥାନରୁ ରାଜ୍ୟ ବାହାରକୁ ଗୋ-ଚାଲାଣ ହେଉଛି। ସମ୍ବଲପୁର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା ପ୍ରତିଦିନ ଏ ଚିତ୍ର। ବେଧଡକ୍ ବେଆଇନ ଗୋ ଚାଲାଣ ହେଉଛି। ଆଉ ଚୁପ୍ ବସିଛି ପୋଲିସ। ଗୋ ଚାଲାଣକାରୀଙ୍କଠାରୁ ପିସି ଖାଇ୍ ପୋଲିସ ସେମାନଙ୍କୁ ଛାଡିଦେଇଥିବା ଅଭିଯୋଗ ହେଉଛି । ଗୋଲାଚାଣକାରୀଙ୍କୁ ଖସାଉଛି ଆଉ ଗୋ ରକ୍ଷାକାରୀଙ୍କୁ ଧରି ଜେଲରେ ପୁରାଉଛି। ସମ୍ବଲପୁରର ତପନ ଓ ଆଳିର ଶୁଭାଶିଷ ଷଡଙ୍ଗୀଙ୍କୁ ମିଛ କେସରେ ଫସାଇଥିଲା ପୋଲିସ।
ଓଡ଼ିଶାରେ ଗୋଚାଲାଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମସ୍ତ୍ୟ ଓ ପଶୁ ସଂପଦ ମନ୍ତ୍ରୀ ସଞ୍ଜୀବ ବାଲିୟାନ୍। କାହିଁକି କଡାକଡି ପାଳନ ହେଉନି ଆଇନ ? ବେଆଇନ ଗୋଚାଲାଣ ନେଇ କାହିଁକି ଚୁପ୍ ରାଜ୍ୟ ସରକାର ?