ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ' ହୋଇଥିଲା । ଆଜିର ଦିନରେ ଗୋମାତାଙ୍କୁ ପୂଜା କରିବା ସହ ସେମାନଙ୍କୁ ଘାସ ବା ଚାରା ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ପ୍ରଥା ରହିଛି। ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦା ଠାରୁ ସପ୍ତମୀ ପର୍ଯ୍ୟନୁ ଗାଈ, ଗୋପ ଏବଂ ଗୋପୀମାନଙ୍କ ରକ୍ଷା ନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ। ଅଷ୍ଟମ ଦିନ ଦେବରାଜ ଇନ୍ଦ୍ରଙ୍କର ଅହଙ୍କାର ଭଙ୍ଗ ହୋଇଥିଲା ଓ ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ । ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରିଥିଲେ । ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ' ହୋଇଥିଲା । ତେଣୁ ଏହି ଦିନଟିକୁ ସନାତନୀ ହିନ୍ଦୁମାନେ ବେଶ୍ ଆନନ୍ଦ ଓ ଉଲ୍ଲାସର ସହ ସେହି ଦ୍ବାପର ଯୁଗରୁ ମନାଇ ଆସୁଛନ୍ତି ।
ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ନିକଟ ଗୁଣ୍ଡିହୁଡି ଠାରେ ଥିବା ଶ୍ରୀରାଧାକୃଷ୍ଣ ଗୋସେବା ସମିତି ପକ୍ଷରୁ ଗୋଷ୍ଠାଷ୍ଟମୀ ପର୍ବ ମହା ଧୁମଧାମରେ ପାଳିତ ହୋଇଛି। ସମିତି ସଭ୍ୟମାନେ ଏଠାରେ ଏକତ୍ରିତ ହୋଇ ଗୋମାତା ଙ୍କୁ ପୂଜାର୍ଚ୍ଚନା କରିବା ସହ ହୋମଯଜ୍ଞ ଇତ୍ୟାଦି କରି ପ୍ରସାଦ ସେବନ କରିଛନ୍ତି । ଅନେକ ଭକ୍ତ ନିଜ ଓଜନର ଗୋ-ଚାରା ଦାନ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।