ଏହି ଚାରି ପିଲା ଏବେ ବାପ ମା’ ଛେଉଣ୍ଡ । ପାଞ୍ଚ ବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ପାଞ୍ଚ ଦିନ ପୂର୍ବରୁ ମା’ ମଧ୍ୟ ଆର ପାରିକୁ ଚାଲି ଗଲେ। ଏବେ ଏହି ପିଲାମାନେ କେମିତି ଜୀବନ ବିତାଇବେ ତାକୁ ନେଇ ଚିନ୍ତା । ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ କୁମୁଣ୍ଡି ଗ୍ରାମର ଏହି ଘଟଣା ସମସ୍ତଙ୍କୁ ହତବାକ କରିଛି। ସ୍ବାମୀ ପୁନିଆଁ ନାଇକଙ୍କ ପାଞ୍ଚ ବର୍ଷ ପୂର୍ବରୁ ମୃତ୍ୟ ପରେ ନିଜ ଗାଁ କୁମୁଣ୍ଡିକୁ ଝିଅ ସୁଷମା ଓ ୪ ନାତି ନାତୁଣୀଙ୍କୁ ନିଜ ପାଖକୁ ଆଣିଥିଲେ ଗୁରୁବାରିଆ। ଗୁରୁବାରିଆଙ୍କ ସ୍ତ୍ରୀଙ୍କ ମୃତ୍ୟ ପରେ ଏବେ ଝିଅ ର ରୋଜଗାରରେ ୬ ପ୍ରାଣୀ ଚଳି ଯାଉଥିଲେ । ଝିଅ ସୁଷମା ଥିଲେ ଏକ ମାତ୍ର ରୋଜଗାରିଆ। ତାଙ୍କ ଉପରେ ନିର୍ଭର କରି ଚାଲୁଥିଲା ସଂସାର ଗାଡି । ହେଲେ ହଠାତ ପେଟ କାଟି ଜ୍ଵର ହୋଇଥିଲା ତାଙ୍କୁ ଚିକିତ୍ସା କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଲା । ତାଙ୍କର ମୃତ୍ୟ ପରେ ଏବେ ପରିବାର ମୁଣ୍ଡରେ ବୋଝର ପାହାଡ଼ ପଡ଼ିଛି। ଚାରି ଦିଗ ଅନ୍ଧାର ହିଁ ଅନ୍ଧାର ବୋଲି ଅଜା ଗୁରୁବାରିଆ ନାଇକ କହିଛନ୍ତି।
ବଡ଼ ଝିଅ ରୁବିନା ମାଟ୍ରିକ ପଢି ଘରେ ରହିଛନ୍ତି। ଦ୍ଵିତୀୟ ପୁଅ ମାନସିକ ବିକାର ଗ୍ରସ୍ତ ଆଉ ଦୁଇ ଭାଇ ଭଉଣୀ ମଧ୍ୟ ପାଠ ପଢୁଛନ୍ତି। ଏହିପରି ସ୍ଥିତିରେ ପିଲାମାନେ କିଭଳି ବଞ୍ଚିବେ ତାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ବଢିଛି । ଘର ଖଣ୍ଡିଏ ଅଛି ହେଲେ ଭିତର ପାର୍ଶ୍ଵ ପଲସ୍ତରା ହୋଇନାହିଁ । ସରକାରୀ ସହାୟତା କହିଲେ କେବଳ ରାଶନ କାର୍ଡ ଟିଏ ରହିଛି । ସେଥିରେ ମଧ୍ୟ ସମସ୍ତଙ୍କ ନାଁ ଥିଲେ ମଧ୍ୟ କେବଳ ଜଣକୁ ମାସରେ ପାଞ୍ଚ କିଲୋ ଚାଉଳ ମିଳୁଛି । ସରକାରୀ ସହାୟତା କିମ୍ବା କୌଣସି ସଂଗଠନ ପକ୍ଷରୁ ଏହି ପରିବାରକୁ ସହାୟତା କଲେ ଚାରି ପିଲା ଓ ବୃଦ୍ଧ ଅଜା ଜୀବନ ବଞ୍ଚି ପାରିବ ବୋଲି ସେମାନେ କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।