ଅର୍ଗସ ବ୍ୟୁରୋ : ଜୁନ ୨ର ଅଶୁଭ ଶୁକ୍ରବାରକୁ ସପ୍ତାହେ ବିତିଛି । ସନ୍ଧ୍ୟା ପ୍ରାୟ 7 ଟାରେ ବେଳେ ଲୌହଦାନବର ରକ୍ତଭୋଜିରେ ଥରି ଉଠିଥିଲା ସାରା ଦେଶ । ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଜୁନ ୨ରେ ଘଟିଥିବା ସେହି ଲୋମହର୍ଷଣକାରୀ ରେଳ ଦୁର୍ଘଟଣା ପରେ ସେହି ରୁଟ ଦେଇ ରେଳ ଚଳାଚଳ ଧୀରେ ଧୀରେ ସ୍ବାଭାବିକ ହେଉଛି । କିନ୍ତୁ ଦୁର୍ଘଟଣାରେ ଶୀକାର ଲୋକଙ୍କର ଜୀବନ ଏଯାଏ ସ୍ବାଭାବିକ ହୋଇପାରିନି । ଯେଉଁ 288 ଯାତ୍ରୀ ଆଖି ବୁଜିଲେ ସେମାନଙ୍କ ପରିବାର ଲୋକେ ଏଯାଏ ଶୋକତୁର ଅବସ୍ଥାରୁ ବାହାରି ପାରିନାହିନ୍ତି । ସେହିପିରି ଗୁରୁତରମାନେ ଏବେବି ଜୀବନ -ମୃତ୍ୟୁର ଦୋଛକିରେ ଛିଡ଼ା ହୋଇରହିଛନ୍ତି । ଆଉ ଯେଉଁ ଯାତ୍ରୀମାନେ ଏହି କାଳ କବଳରୁ ରକ୍ଷା ପାଇଯାଇଥିଲେ ସେମାନଙ୍କୁ ଏବେବି ଡରାଉଛି ସେ କାଳ ରାତ୍ରୀ । ଆଉ ସ୍ଥାନୀୟ ଲୋକଙ୍କ ମନରୁ ଏଯାଏ ଲିଭିନି ସେଦିନ ର ଚିତ୍ର । କୁଢ କୁଢ ଶବ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ଯାତ୍ରୀଙ୍କୁ ଦେଖିଥିବା ଗାଁ ଲୋକ ରେଳ ଧାରଣା ଦେଖିଲେ ଭୟ କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ବର ଏମ୍ସକୁ ୧୯୩ ଯାତ୍ରୀଙ୍କ ମୃତଦେହ ଅଣାଯାଇଥଲା । ସେଥି ମଧ୍ୟରୁ ୧୧୧ ଜଣଙ୍କ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇସାରିଛି । ଚିହ୍ନଟ ସମସ୍ୟା ଦୂର ପାଇଁ ୬୪ଟି DNA ଟେଷ୍ଟ ସାରିଛି । ରିପୋର୍ଟ ଆସିବାକୁ କିଛିଦିନ ସମୟ ଲାଗିବ । କଣ୍ଟେନର ମଧ୍ୟରେ ୮୨ ଟି ମୃତଦେହ ଏବେବି ରଖାଯାଇଛି । ସେପଟେ ଭୁବନେଶ୍ବର ଏମ୍ସ ଯାଇ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସବୁ କିଛି ବ୍ୟବସ୍ଥିତ ଭାବେ ହେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମୃତଦେହ ଓ ପରିବାର ବର୍ଗଙ୍କ ଡିଏନଏ ରିପୋର୍ଟ ଆସିବା ପରେ BMC ପକ୍ଷରୁ ପରିବାର ଲୋକଙ୍କୁ କଣ୍ଟାକ୍ଟ କରାଯିବ । ପରିବାର ଲୋକେ ଏଠି ନ ରହିଲେ ଚଳିବ ବୋଲି କହିଛନ୍ତି BMC ଡେପୁଟି କମିଶନର କହିଛନ୍ତି । ଏବେବି ବିଭିନ୍ନ ହସ୍ପିଟାଲରେ ଗୁରୁତର ଯାତ୍ରୀଙ୍କର ଚାଲିଛି ଚିକିତ୍ସା । ଏସସିବିରେ ଏବେ ସର୍ବାଧିକ ୧୧୧ ଜଣ ଚିକିତ୍ସିତ ହେଉଛନ୍ତି । ସମସ୍ତ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି । ଆଇସିୟୁରେ ଏବେ ମଧ୍ୟ ୨୦ ଜଣଙ୍କର ଚିକିତ୍ସା ଚାଲିଛି । ଏବେ ସୁଦ୍ଧା ମୋଟ ୯୬ଜଣ ଆହତ ଚିକିତ୍ସା ପରେ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ।
ସେପେଟ ତୃତୀୟ ଦିନ ପାଇଁ ବାହାନଗା ବଜାର ଷ୍ଟେସନରେ ଛାନଭିନ ଚଳାଇଛି ସିବିଆଇ ଟିମ । ଦୁଇ ଜଣିଆ ଟିମ ଆସି ହାର୍ଡଡିସ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ରେକର୍ଡ ସଂଗ୍ରହ କରିଥିବା ସୂଚନା ମିଳିଛି । ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକକୁ ଟିକନିକକରି ଯାଞ୍ଜ କରିଛି ସିବିଆଇ । କ୍ଷତିଗ୍ରସ୍ତ ୪ ଟି ଟ୍ରାକର କାମ ସରିବା ପରେ ଏବେ କିଛି ମରାମତି କାର୍ଯ୍ୟ ଚାଲିଛି । ଯେଉଁଥିପାଇଁ କିଛି ଟ୍ରେନକୁ ବାତିଲ କରାଯାଇଛି । ଲେବର କାମ କରିବା ଯୋଗୁଁ ସ୍ପିଡ଼ ଲିମିଟ ରଖାଯାଇଛି । ତଦନ୍ତ ନ ସରିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ କୌଣସି ଟ୍ରେନ ରହିବନି ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲୱେ ସିପିଆରଓ ।