ଅସହ୍ୟ ତାତିରେ କଲବଲ ହେଉଛି ମଣିଷ । ମୁନ୍ଦେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ । ସମୁଦ୍ର ଆଁରେ ଲୀନ ହେଉଛି ଗାଁ କିନ୍ତୁ ଏବେ ବି ମଣିଷ ହୋଇପାରିନି ପରିବେଶ ମନସ୍କ । ପରିବେଶବିତଙ୍କ ସତର୍କ ବାଣୀ ସତ୍ତ୍ବେ ବଢ଼ିଚାଲିଛି ପ୍ଲାଷ୍ଟିକ ପ୍ରଦୂଷଣ ।
ପ୍ଲାଷ୍ଟିକ ଆବର୍ଜନାର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପରିବେଶ ଦିବସର ଧିମ ରହିଛି ବିଟ୍-ପ୍ଲାଷ୍ଟିକ-ପଲ୍ୟୁସନ । ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଭବିଷ୍ୟତ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ପରିବେଶପ୍ରତି ବିଶ୍ବବାସୀଙ୍କୁ ସଚେତନ କରିବା ପାଇଁ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ପାଳନ ହେଉଛି ବିଶ୍ବ ପରିବେଶ ଦିବସ । ବୃକ୍ଷରୋପଣର ଆବଶ୍ୟକତା ପ୍ରତି ଲୋକଙ୍କୁ ସତେତନତାର ବାର୍ତ୍ତା ଦେଉଛି ଜାତିସଂଘ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019ରେ ତାମିଲନାଡୁ ଗସ୍ତ ସମୟରେ ମାମଲ୍ଲାପୁରମ ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇ ସାରା ବିଶ୍ବକୁ ସତେଚନାର ବାର୍ତ୍ତା ଦେଇଥିଲେ ।
କୋରାପୁଟର ପରିବେଶ ପ୍ରେମୀ ରବୀନ୍ଦ୍ର ରଣା ଲୋକଙ୍କୁ ପ୍ରକୃତି ପ୍ରତି ସଚେତନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଦୀର୍ଘ ୧୩ ବର୍ଷ ଧରି ପ୍ରକୃତିକୁ ବଞ୍ଚାଇବାକୁ ଜିଲ୍ଲାର ପ୍ରତି ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର, ଅନୁଷ୍ଠାନରେ ଲକ୍ଷାଧିକ ବୃକ୍ଷ ରୋପଣ କରିଛନ୍ତି ରବୀନ୍ଦ୍ର ।
କେବଳ ଏତିକି ନୁହେଁ ଗାଁରୁ ଗାଁ ବୁଲି ବୁଲି ସଚେତନତା ଅଭିଯାନ ଜାରି ରଖିଛନ୍ତି। ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ପ୍ରାୟ ୧୩ ନିୟୁତ ଟନ୍ ପ୍ଲାଷ୍ଟିକ୍ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବାବେଳେ ସେଥିରୁ ଡାଇଅକ୍ସିନ୍ ଓ ଫ୍ୟୁରାନ୍ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ଆଖପାଖରେ ରହୁଥିବା ଲୋକଙ୍କ ଭିତରେ କ୍ୟାନସର ଭଳି ମହାବ୍ୟାଧି ସୃଷ୍ଟି କରୁଛି।
ପ୍ରକୃତି ବିନା ମାନବ ଜୀବନ ସମ୍ଭବ ନୁହେଁ, କିନ୍ତୁ ଏହା ସତ୍ତ୍ବେ ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ ଓ ବିକାଶ, ଆଧୁନିକତାର ଦୌଡ଼ରେ ପ୍ରକୃତିଠାରୁ ଦୂରେଇ ଯାଉଛୁ। ବିଶ୍ବ ପରିବେଶ ଦିବସରେ ଏବେଠାରୁ ପର୍ଯ୍ୟାବରଣ ସୁରକ୍ଷା ପାଇଁ ସରକାରଙ୍କ ସମେତ ସମସ୍ତ ଜନତା ଯତ୍ନବାନ ହେବା ଆବଶ୍ୟକ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର