ନୂଆଦିଲ୍ଲୀ: ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୁଣିଥରେ ଦେଖା ଦେଇଛି ଯୋଡ ତୋଡ ରାଜନୀତି । ଗୁରୁବାର ଦିନ କଂଗ୍ରେସର ଦୁଇଜଣ ବିଧାୟକ ନିଜ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ କରଞ୍ଜନ୍ ବିଧାୟକ ଅକ୍ଷୟ ପଟେଲ ଇସ୍ତଫା ଦେଇଛନ୍ତି ଏବଂ କପ୍ରାଡା ବିଧାୟକ ଜିତୁ ଚୌଧୁରୀ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ସେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚା ହେଉଛି । କିଛି କଂଗ୍ରେସ ନେତା କହିଛନ୍ତି ଯେ ଆଉ ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେବା ମୁଡ ରେ ଅଛନ୍ତି ।
ଦୁଇ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ ହେଲେ , ବର୍ତ୍ତମାନ କଂଗ୍ରେସରେ ରାଜ୍ୟରେ ଆଉ 66 ଜଣ ବିଧାୟକ ରହିବେ । ଏହା ପୂର୍ବରୁ ମାର୍ଚ୍ଚରେ ଗୁଜୁରାଟର କଂଗ୍ରେସର ପାଞ୍ଚଜଣ ବିଧାୟକ ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା 68 କୁ ହୋଇ ଯାଇଥିଲା। ଗୁଜୁରାଟର ଚାରୋଟି ରାଜ୍ୟସଭା ଆସନ ପାଇଁ ଜୁନ୍ 19 ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଚାରୋଟି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଗୁଜୁରାଟର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ ମୁରଲୀ କୃଷ୍ଣଙ୍କ ଅନୁଯାୟୀ ଜୁନ୍ 19 ରେ ମତଦାନ ପ୍ରକ୍ରିୟା ସକାଳ 9 ଟାରୁ 4 ଟା ମଧ୍ୟରେ ହେବ। ଏହା ପରେ ସନ୍ଧ୍ୟା 5 ଟାରୁ ଭୋଟ୍ ଗଣନା ଆରମ୍ଭ ହେବ ।
ଗୁଜୁରାଟର ଚାରୋଟି ରାଜ୍ୟସଭା ଆସନ ଖାଲି ରହିଛି । ସେମାନଙ୍କ ମଧ୍ୟରୁ ପୂର୍ବରୁ ବିଜେପି ପାଖରେ ତିନୋଟି ଏବଂ ଗୋଟିଏ କଂଗ୍ରେସର ଥିଲା । ଏଥର କଂଗ୍ରେସ ସ୍ଥିତି ଦୃଢ଼ ଥିବାରୁ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନରେ ସାମିଲ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଏହାର ବିଧାୟକଙ୍କ ସଂଖ୍ୟା ହ୍ରାସ ପାଉଛି । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଇଛି ।
କଂଗ୍ରେସ ଶକ୍ତିସିନ୍ ଗୋହିଲ ଏବଂ ଭାରତସିନ୍ ସୋଲଙ୍କିଙ୍କ ପରି ବରିଷ୍ଠ ଚେହେରା ଦେଇଥିବାବେଳେ ବିଜେପି ଅଭୟ ଭରଦ୍ୱାଜ, ରାମିଲା ବାରା ଏବଂ ନରହରି ଆମିନଙ୍କୁ ପ୍ରାର୍ଥୀ କରିଛି। ଯଦି ଶେଷ ମୁହୂର୍ତ୍ତରେ ବିଜେପି ଅମିନଙ୍କୁ ପ୍ରାର୍ଥୀ କରି ନଥାନ୍ତା ତେବେ ନିର୍ବାଚନର ଆଵଶ୍ୟକତା ପଡି ନଥାନ୍ତା । ବିଜେପି ପୂର୍ବ ପରି ତିନୋଟି ସିଟ ହତେଇବାକୁ ଲକ୍ଷ ରଖିଛି ।
ଗୁଜୁରାଟ ବିଧାନସଭାରେ ବିଜେପିର 103 ଜଣ ବିଧାୟକ ଅଛନ୍ତି। କଂଗ୍ରେସରେ 66 ଜଣ ବିଧାୟକ, ଆଦିବାସୀ ପାର୍ଟି ଅଫ୍ ଇଣ୍ଡିଆ (ବିଟିପି) ଏବଂ 1 ଟି ଏନସିପି ଅଛନ୍ତି । ରାଜ୍ୟସଭାରେ ଗୋଟିଏ ଆସନ ଜିତିବା ପାଇଁ 35.01 ଭୋଟ୍ ଆବଶ୍ୟକ | କଂଗ୍ରେସ ପୂର୍ବରୁ ବିଟିପି-ଏନସିପି ଏବଂ ସ୍ଵାଧୀନ ବିଧାୟକଙ୍କ ସହାୟତାରେ 2 ଟି ଆସନ ଜିତିବାର ସ୍ୱପ୍ନ ଦେଖିଥିଲା କିନ୍ତୁ ଦୁଇ ଜଣ ବିଧାୟକଙ୍କ ଇସ୍ତଫା ପରେ ଏହାର ଗଣିତ ବିଫଳ ହୋଇଛି। ଗୁଜୁରାଟର ପରିସ୍ଥିତି ପୁଣିଥରେ 2017 ରାଜ୍ୟସଭା ନିର୍ବାଚନ ସହିତ ସମାନ ହୋଇପାରେ।
2017 ରେ ବିଜେପି ଗୁଜୁରାଟରେ ଅତିରିକ୍ତ ରାଜ୍ୟସଭା ପ୍ରାର୍ଥୀ କରି କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲଙ୍କ ଆସନ ଟଳ ମଳ କରିଥିଲା। ସେହି ସମୟରେ ନିର୍ବାଚନ ପୂର୍ବରୁ 6 ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ। ସେହି ନିର୍ବାଚନରେ ଅହମ୍ମଦ ପଟେଲଙ୍କୁ ଜିତାଇବା ପାଇଁ କଂଗ୍ରେସକୁ ଅନେକ କସରତ କରିବାକୁ ପଡିଥିଲା ।
