ମୟୂରଭଞ୍ଜ: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଏହି ଉକ୍ତିର ସାରମର୍ମ ବୁଝିପାରିଛନ୍ତି କିଛି ଯୁବକ । ଗୁରୁଜନଙ୍କ ପାଦପଦ୍ମରେ ଆଶରା ନେଲେ ଯେ ଦୁନିଆର ସବୁ ଖୁସି ତାହାକୁ ଧେୟ କରି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି କିଛି ଯୁବକ । ବୟସର ଅପରାହ୍ନରେ ପହଂଚିଥିବା ଗୁରୁଜନମାନଙ୍କୁ ଏକତ୍ରିତ କରି ଭାବାବେଗରେ ଗୁରୁଜନ ପୂଜନ କରି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ହାତରେ ଗୋଲାପ ଫୁଲଟିଏ, ମୁଣ୍ଡରେ ଚିତା ଚନ୍ଦନ, ବେକରେ ପଡିଛି ସମ୍ମାନରେ ପ୍ରଦାନ କରାଯାଇଥିବା ଉତରୀୟ । ଆଖିରୁ ବୋହି ଯାଉଛି ଆନନ୍ଦର ଲୁହ । କାହିଁକି ନା ଯେଉଁଠି ଆଜିର ସମାଜରେ ଜନ୍ମ କଲା ସନ୍ତାନ ପର କରିଦେଉଛି ସେହିଠାରେ ଗ୍ରାମର ଯୁବଗୋଷ୍ଠୀ କୋଳେଇ ନେଇଛନ୍ତି ସେହି ବୟୋଜ୍ୟେଷ୍ଠମାନଙ୍କୁ । ଆଉ ସେମାନଙ୍କୁ ଅନୁଭବ କରାଇଛନ୍ତି ପୁଅ ନିକଟରୁ ବୃଦ୍ଧାବସ୍ଥାରେ ପାଇବାକୁ ଥିବା ସ୍ନେହ ଏବଂ ମମତାକୁ ।
ଏଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା ମୟୁରଭଞ୍ଜ ଉଦଳା ବ୍ଲକ ଅଧିନ ଡିହିରାକୁଳ ଗ୍ରାମରେ । ଶତାଧିକ ଗୁରୁଜନଙ୍କୁ ପୂଜନ କରି ନିଆରା ପରମ୍ପରା ଆରମ୍ଭ କରିଛି ଡିହିରାକୁଳର କିଛି ଯୂବଗୋଷ୍ଠୀ । ଡିହିରାକୁଳ ଗ୍ରାମର ଯୁବକମାନଙ୍କ ଦ୍ୱାରା ଗୁରୁଜନ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଯୁବକମାନେ ପ୍ରଥମେ ଗୁରୁଜନମାନଙ୍କୁ ଯାଇ ସେମାନଙ୍କ ଘରୁ ପାଛୋଟି ଆଣିବା ସହିତ ସେମାନଙ୍କ ପାଦ ଧୋଇ ପୂଜାର୍ଚ୍ଚନା କରିଛନ୍ତି ।
ତେବେ ଏହି ପରିବେଶରେ ଯୋଗ ଦେଇଥିବା ଗୁରୁଜନମାନେ ନିଜର ଅନୁଭୂତି କହିବା ସହିତ ଏଭଳି ଏକ ଆୟୋଜନକୁ ଭୂୟସୀ ପ୍ରଶଂସା କରିଛନ୍ତି । ବାପାମାଆଙ୍କ ପ୍ରତି ଥିବା ଦାୟିତ୍ୱକୁ ଭୁଲିଯାଇ ଆଜିର ପୁଅବୋହୂମାନେ ସେମାନଙ୍କୁ ଅବହେଳା କରୁଥିବା ବେଳେ ଯୁବକମାନେ ଏଭଳି ଏକ ପ୍ରୟାସ କରିବା ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟକ ପାଲଟିଛି ।
ତେବେ ସ୍ଥାନୀୟ ଯୁବକମାନଙ୍କର ଏପରି ଏକ ପ୍ରୟାସ୍ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ତତସହିତ ବାପାମାଆଙ୍କ ପାଦତଳେ ଯେ ସାରା ପୃଥିବୀ ରହିଛି ତାହା ଏହି ଯୁବକମାନେ ଦର୍ଶାଇଛନ୍ତି । ଏହି ପରିବେଶ ଏପିର ଭାବବିହ୍ୱଳ ଥିଲା ଯେ ଅନେକଙ୍କ ଓଠରେ ହସ ଥିଲା ତ ଅନେକଙ୍କ ଆଖିରେ ଲୁହ ଥିଲା ।
ତେବେ ଡିହିରାକୁଳ ଯୁବକମାନେ ଗୁରୁଜନଙ୍କୁ ପୂଜନ କରିବା ପରେ ସେମାନଙ୍କୁ ସସମ୍ମାନେ ନେଇ ନିଜ ନିଜ ଘରେ ଛାଡିଥିଲେ । ଯୁବକମାନଙ୍କର ଏପରି ପ୍ରୟାସ ଆଗାମୀ ଦିନରେ ଜାରି ରହିବା ସହିତ ଏହା ଏକ ପରମ୍ପରାରେ ପରିଣତ ହେବ । ତତସହିତ ଏହା ଦ୍ୱାରା ପଥଭ୍ରଷ୍ଟ ପୁଅ ବୋହୂମାନେ ବାପାମାଆଙ୍କ ପ୍ରତି ନିଜର ଦାୟିତ୍ୱ ବୁଝିପାରିବେ ବୋଲି ଆଶା ।