ଉତ୍ତର ଦ୍ୱାର ଠାରୁ ଆନନ୍ଦବଜାର ଦେଇ କିର୍ତ୍ତନ ଚକଡା ଦେଇ ଘଣ୍ଟି ଦ୍ୱାର ପର୍ଯ୍ୟନ୍ତ ରାମ୍ପ ବ୍ୟବସ୍ଥା ପାଇଁ ହୋଇଥିଲା ନିଷ୍ପତ୍ତି। ମାତ୍ର ପୂର୍ଣାଙ୍ଗ ହୋଇପାରିନଥିବା ଏହି ରାମ୍ପ ଦେଇ ହୁଇଲ ଚେୟାରରେ ଯାଇନପାରି ଅସୁବିଧା ଭୋଗୁଛନ୍ତି ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ।ସେପଟେ ଭକ୍ତଙ୍କ ଦର୍ଶନ ଓ ଶ୍ରୀମନ୍ଦିରରେ ସ୍ଵଛତା ପାଇଁ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ଏହି ପ୍ରକଳ୍ପ ଚାଲିଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ବ୍ୟବସ୍ଥା ହୋଇନପାରିବା ବଡ ପ୍ରଶ୍ନବାଚୀ ଶୃଷ୍ଟି କରିଛି ।
ସେପଟେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ନିର୍ମାଣ ପ୍ରସଂଗ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ରାମ୍ପ ବ୍ୟବସ୍ଥା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଏକ ଆଇନ ସମ୍ମତ ନିଷ୍ପତ୍ତି ନେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ସବୁପରେ ମଧ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିନଥିବା ବେଳେ ପୁନର୍ବାର ନିଜ ପ୍ରତିକ୍ରିୟା ଦୋହରାଇ ସେବାୟତ ଓ ପରିଚାଳନା କମିଟି ସହ ଆଲୋଚନା ପରେ ମଡେଲ ପ୍ରସ୍ତୁତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ବ୍ଲୁ ଫ୍ଲାଗ ବିଚ୍ ସମେତ ଶ୍ରୀମନ୍ଦିର ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ ଆଧାରରେ ଜଗା ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ରାମ୍ପ କେବେ କାର୍ଯ୍ୟକ୍ଷମ ହେବ ତାକୁ ହିଁ ଅପେକ୍ଷା ରହିଛି ।
ଓଡିଶା ଖବର ଆହୁରି ପଢନ୍ତୁ