ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗାଯିବନ୍ଧରୁ ଗିରଫ ହୋଇଛି ହାର୍ଡକୋର ମାଓବାଦୀ ତପନ । ତପନ ପୂର୍ବରୁ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ R.ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ ଥିବାବେଳେ ତାକୁ 2011ରେ ମାଲକାନଗିରି ପୋଲିସ ଗିରଫ କରିଥିଲା । ମାଲକାନଗିରି ଜିଲ୍ଲା ଜଜ ତପନକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । କିନ୍ତୁ ପରେ ତପନ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲା । ଆଉ ତା ପରେ ଆରମ୍ଭ କରିଥିଲା ନିଜ ସାମ୍ରାଜ୍ୟ ।
କେବଳ ଏତିକି ନୁହେଁ ନିଜ ସହଯୋଗୀ ନକ୍ସଲଙ୍କ ସହ ମିଶି ସ୍ୱାଭିମାନ ଅଂଚଳ ବିଦରପାକନା ନିକଟ ହନ୍ତାଳଗୁଡା ଘାଟି ନିକଟରେ ପୋଲିସ ଓ BSF ବହିନୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ IED ଲଗାଇଥିଲେ । ସୌଭାଗ୍ୟବସତ କାହାର କିଛି କ୍ଷତି ହୋଇନଥିଲା । ଏହାସହ ନକ୍ସଲ ତପନ ସାହାର ଭାଇ ସ୍ୱାଭିମାନ ଅଂଚଳ ଜାନବାଇରେ ଜନସେବା କେନ୍ଦ୍ର କରି ବଡ଼ପଦର, ରାଳେଗାଡ଼ା, ବଡପଡା, ପାପରମେଟଲା ଭଳି ବିଭିନ୍ନ ଗାଁର ଲୋକଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଗରିବ ଆଦିବାସୀ ଲୋକେ ଯେତେବେଳ ନିଜ ଟଙ୍କା ମାଗୁଥିଲେ ତପନ ଏବଂ ତାହାର ଦୁଇ ଭାଇ ମାଓ ନେତା ଅରୁଣ, ଉଦୟ ଓ ରାଜେଶ ନାମ ନେଇ ହତ୍ୟା କରାଯିବ ବୋଲି ଧମକ ଦେବା ସହ ବନ୍ଧୁକ ଓ ବୋମାର ଭୟ ଦେଖାଉଥିଲେ ।
ଅଭିଯୋଗ ପରେ ତପନ ଗତ ନଭେମ୍ବର ମାସରୁ ଫେରାର ଥିବାବେଳେ ଗୁଇନ୍ଦା ବିଭାଗ ଓ ମାଲକାନଗିରି ପୋଲିସ ତାକୁ ଧରିବାକୁ ଅନେକ ଚେଷ୍ଟା କରିଥିଲେ । ଖବର ପାଇ ମାଲକାନଗିରି ଏସପି ନିତେସ ୱାଧୱାନିଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସସିଅସ କିସ୍ପଟାଙ୍କ ନେତୃତ୍ୱରେ DVF ବାହିନୀ ସୀମାନ୍ତ ଆନ୍ଧ୍ରପ୍ରଦେଶର ଗାଯିବନ୍ଧରୁ ଗିରଫ କରିଛନ୍ତି । ଦୀର୍ଘ ଦିନରୁ ଜାମିନରେ ତପନ ଆସିଥିବାବେଳେ ବର୍ତ୍ତମାନ ଦୀର୍ଘ 3 ମାସ ଧରି ଫେରାର ଥିବାବେଳେ ମାଓବାଦୀଙ୍କ ସହାୟତାରେ ଜଙ୍ଗଲରୁ ଜଙ୍ଗଲ ଘୁରୁଥିଲା ମାଓବାଦୀ ତପନ ।
ଅଧିକ ପଢନ୍ତୁ: ନକ୍ସଲଙ୍କ ଗୁଳିରେ ୩ ଯବାନ ସହିଦ
ଏପଟେ ମାଓବାଦୀ ତପନ ଗିରଫ ହେବା ପରେ ଶାସକ ଦଳର ମୁଖା ଖୋଲିଯାଇଛି । ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି । କେଉଁଠି ଚିତ୍ରକୋଣ୍ଡା ବିଧାୟକଙ୍କ ସହ ଦଳୀୟ କାର୍ଯ୍ୟକ୍ରମରେ ତ କେଉଁଠି ସାଂସଦ ରମେଶ ମାଝୀଙ୍କ ସହ । ଜାମିନରେ ଆସି ଜଣେ ହାର୍ଡକୋର ମାଓବାଦୀ ଓ ପୂର୍ବତନ ଜିଲ୍ଲାପାଳଙ୍କ ଅପହରଣ ଘଟଣାରେ ସାମିଲ ଥିବା ବ୍ୟକ୍ତି କିଭଳି ଶାସକ ଦଳର ନେତା ହୋଇଗଲେ । ଆଉ କେହି କେମିତି ଜାଣିପାରିଲେନି ତାକୁ ନେଇ ଉଠିଛି ବଡ ପ୍ରଶ୍ନ।
ରାଜନୀତି ଖବର ଆହୁରି ପଢନ୍ତୁ