ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା । କୋହଲା ପାଗକୁ ବର୍ଷାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ତେବେ ପୁଣି ଥରେ ବର୍ଷା ହେବା ଫଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବା ସହ ଅଦିନିଆ ଧୂଳିଝଡ ଦେଖିବାକୁ ମିଳିଛି । ଏପରିକି ଭୋର ସମୟରୁ ଘଡଘଡି ସହ ବର୍ଷା ଲାଗି ରହିଥିବାବେଳେ ପ୍ରବଳ ବେଗରେ ପବନ ବହୁଛି । ତା’ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ପୂରା ଅନ୍ଧାର କରି ରଖିଛି । ରାସ୍ତା ଠିକ୍ ଭାବରେ ଦେଖାଯାଉନଥିବାରୁ ଦୁର୍ଘଟଣା ସମ୍ଭାବନାକୁ ଦେଖି ଗାଡି ସର୍ତକତାର ଚଳାଇବାକୁ ପରାମର୍ଶ ଦିଆଯାଇଛି । ତେବେ ହଠାତ୍ ଏଭଳି ପାଗ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
କେବଳ କଟକ କି ଭୁବନେଶ୍ୱର ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ଯେପରିକି ସମ୍ବଲପୁର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଏହାବାଦ୍ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହେବା ସହ ଧୂଳିଛଡ ଓ ପ୍ରବଳ ବେଗରେ ପବନ ବହିଛି । ଯାଜପୁର, କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଅଦିନିଆ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ ରହିଛି । ପୁଣିଥରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି ।
