ଇଏ ହେଉଛି ମୁଆଁ । କେହି କେହି ଉଖୁଡା ବି କହନ୍ତି। ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଲିଆରେ ପ୍ରସ୍ତୁତ ମୁଆଁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ଏହି ସମୟରେ ପହିଲିଭୋଗ ଚାଲିଥିବା ବେଳେ କଳାଠାକୁରଙ୍କ ପାଖରେ ଏହି ମୁଆଁ ଲାଗି ହୋଇଥାଏ ।
ଏ ମୁଆଁକୁ ଧନୁ ମୁଆଁ କୁହାଯାଏ । କଣ ଭାବୁଛନ୍ତି ଧନୁ ଭଳି ଆକାର ନା କଣ!! ନା ଆକାର ଗୋଲାକାର ହେଲେ ଧନୁମାସରେ ଲାଗି ହେଉଥିବାରୁ ଇଏ ଧନୁ ମୁଆଁ । ବିଜ୍ଞାନ ବି ଏହାକୁ ମାନେ । ଏହି ଶୀତ ଋତୁରେ ପାଚନ କ୍ରିୟା ସାଧାରଣତଃ କମ ହୋଇଥିବା ବେଳେ ଗୁଡ଼ ଏକ ଭଲ ପାଚନ ଭାବରେ ବ୍ୟବହୃତ ହୁଏ । ଗୁଡ଼ ଖାଲିରେ ତ ଖାଇ ହେବନି । ଲିଆ କିମ୍ବା ଚୁଡାରେ ପୁଣି କେହି ପୁଣି ମୁଢିରେ ଗୁଡ଼ ମିଶାଇ ମୁଆଁ ପ୍ରସ୍ତୁତ କରିଥାନ୍ତି ଆଉ ତାକୁ ଖାଇବାର ମଜା ନିଅନ୍ତି । କାଳିଆ ଠାକୁରଙ୍କ ପାଖରେ କିନ୍ତୁ ଲିଆରେ ପ୍ରସ୍ତୁତ ମୁଆଁ ହିଁ ବ୍ୟବହୃତ ହୁଏ ।ଆଉ କଳାଠାକୁରଙ୍କ ପାଖରେ ଲାଗି ହେଉଥିବା ମୁଆଁର ଆକାର ଦେଖିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଲିଆରେ ଶିରା ଦେଇ ତାକୁ ଜାବୁଡି ରଖିବା ତା ପୁଣି 5 କି 6 କିଲୋ ଓଜନର ପ୍ରସ୍ତୁତ କରିବା କାଠିକର ପାଠ ହେଲେବି ସେବାୟତ ମାନେ ଏହି ମୁଆଁ ପ୍ରସ୍ତୁତ କରି ଭୋଗ କରିଥାନ୍ତି ।ନିଜ ଜ୍ଞାତି କୁଟୁମ୍ବଙ୍କୁ ଦେବାସହ ଶ୍ରଦ୍ଧାରେ କେବେ କେବେ ଭକ୍ତଙ୍କ ଭାଗ୍ୟରେ ମଧ୍ୟ ପଡିଥାଏ ।ତେବେ କାଳିଆଠାକୁରଙ୍କ ଆଦରର ଏହି ଭୋଗ କଥା ଶୁଣି ଆପଣଙ୍କ ଜିଭ ବି ଲହଲହ ହେବଣି ।
ଆପଣ ବି ଚାହିଁଲେ ଘରେ ଏହାକୁ ପ୍ରସ୍ତୁତ କରିପାରିବେ ।ଘରେ ଆପଣ ୟାକୁ ସ୍ୱାଦିଷ୍ଠ କରିଵା ପାଇଁ ବିଭିନ୍ନ ରକମର ମସଲା ବ୍ୟବହାର କରିପାରିବେ ।କଳାଠାକୁରଙ୍କ ପାଖରେ କିନ୍ତୁ ମୁଆଁରେ କାଜୁକୁ ବାରଣ ରହିଥାଏ ।